ପଲଟିଗଲେ ପଲ୍ଟୁରାମ! ପୁଣି ପଦ୍ମମୁହାଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଆଜି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପଦରୁ ଇସ୍ତଫା ଦେଇଛନ୍ତି । ଏଥିସହିତ ବିହାରର ପ୍ରାୟ ଦେଢ ବର୍ଷର ଗଠବନ୍ଧନ ସରକାରରେ ପଡିଛି ପୂର୍ଣ୍ଣଚ୍ଛେଦ । ହେଲେ ଏବେ ଖାଲି ବିହାର ନୁହେଁ ସମଗ୍ର ଦେଶରେ ନୀତିଶ କୁମାର ଏବଂ ବିଜେପିକୁ ନେଇ ଉଠିଛି ଅନେକ ପ୍ରଶ୍ନ । ତେବେ କାହିଁକି ଏମିତି ବାରବାର ନୀତିଶ ଦଳ ବଦଳାଉଛନ୍ତି । ଯଦି ନୀତିଶ ପୁନଶ୍ଚ ବିଜେପିରେ ସାମିଲ ହୋଇ ସରକାର ଗଢନ୍ତି ତେବେ ଏହା ତାଙ୍କର ୪ର୍ଥ ଥର ପାଇଁ ମେଣ୍ଟ ପରିବର୍ତ୍ତନ ହୋଇଯିବ । ବାସ୍ତବ କଥା ହେଉଛି କ୍ଷମତାରେ ସ୍ବାଦ ଠାରୁ କେବେ ବି ନୀତିଶ କୁମାର ଦୂରେଇବାକୁ ଚାହାନ୍ତି ନାହିଁ, ଏକଥା ତାଙ୍କ କାର୍ଯ୍ୟକାଳରୁ ଜଣାପଡୁଛି । ରାଜନୀତିରେ ଗୋଟିଏ ଶବ୍ଦ ଅଛି, ବର୍ଷା ଯେଉଁଆଡେ ଛତା ସେଇଆଡେ । ଯାହା ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ପୂରା ସୁଟ୍ କରେ ।

ତେବେ ବିହାରରେ ବର୍ତ୍ତମାନର ସ୍ଥିତି କଣ ହେବ ତାହା କେତୋଟି ତଥ୍ୟରୁ ଅନୁମାନ କରିହେବ । ଗତ ନିର୍ବାଚନରେ ବିହାରରେ ଆରଜେଡିକୁ ସବୁଠୁ ଅଧିକ ସିଟ୍ ଅର୍ଥାତ ୭୯ଟି ମିଳିଥିଲା । ସେହିପରି ବିଜେପିକୁ ୭୮, ଜେଡିୟୁକୁ ୪୫, କଂଗ୍ରେସକୁ ୧୯, ବାମଦଳକୁ ୧୬, ହାମକୁ ୪, ଏଗଏସଆଇଏମ ୧ ଏବଂ ଗୋଟିଏ ସ୍ଭାଧୀନ ପ୍ରାର୍ଥି ବିଜୟୀ ହୋଇଥିଲେ । ତେବେ ୨୪୩ ସିଟ୍ ବିଶିଷ୍ଟ ବିହାର ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପାଇଁ ଏବେ ଆରମ୍ଭ ହୋଇଛି କସରତ । ଯେହେତୁ ଜେଡିୟୁ ବିହାର ସରକାରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛନ୍ତି ତେଣୁ, ସେ ଯେଉଁଆଡେ ଡିଆଁ ମାରିବେ ସେ ହିଁ ସରକାର ଗଢିବ । ପୂର୍ବରୁ ଆରଜେଡିର ୭୯, ଜେଡିୟୁର ୪୫, କଂଗ୍ରେସର ୧୯ ଏବଂ ବାମଦଳର ୧୬ ସିଟ୍ ମିଶାଇ ସମୁଦାୟ ୧୫୯ ସିଟରେ ସରକାର ଗଢିଥିଲା ମହାଗଠବନ୍ଧନ । ଏବେ ଯଦି ପୁଣି ବିଜେପିର ହାୟ ଧରନ୍ତି ନୀତିଶ ତେବେ ବିଜେପି ୭୮, ଜେଡିୟୁ ୪୫, ହାମ୍ ୪ ଏବଂ ସ୍ବାଧୀନର ଜଣଙ୍କୁ ମିଶାଇ ମୋଟ ୧୨୮ ସିଟ ହେଉଛି । ହେଲେ ସରକାର ଗଢିବାକୁ ଦରକାର ୧୨୨ ବଧାୟକ ।

ଆଶ୍ଚର୍ଯ୍ୟ କଥା ମେଣ୍ଟ ପରିବର୍ତ୍ତନ ବେଳେ ନେତାମାନେ ଶବ୍ଦର ସୀମା ଲଙ୍ଘିଯାନ୍ତି । ପରସ୍ପରକୁ ଗାଳିଦେବାକୁ ମଧ୍ୟ ପଛାନ୍ତି ନାହିଁ । ହେଲେ ଠିକ କିଛିଦିନ ପରେ ସେମାନେ ଯଥା ପୂର୍ବଂ ତଥା ପରଂ ସ୍ଥିତିକୁ ଚାଲିଆସନ୍ତି । ଏଥିରୁ ଜଣାପଡୁଛି ନେତାଙ୍କ ପାଖେ ନା ଅଛି ନୀତି ନା ଅଛି ନୈତିକତା । ନେତାଙ୍କ ଦଳ ଡିଆଁ ହେଉ କି ମେଣ୍ଟ ଡିଆଁ ଏଥିରେ ରାଜନେତା ମାନେ ନିଜର ଇଗୋ ଏବଂ କ୍ଷମତାର ଭୋକକୁ ସନ୍ତୁଷ୍ଟ କରନ୍ତି ସତ ହେଲେ, ସବୁଠୁ ଅଧିକ କ୍ଷତିରେ ପଡନ୍ତି ସାଧାରଣ ଜନତା । କାରଣ କ୍ଷମତା ଲୋଭୀ ନେତାଙ୍କ ଖେଳ ଭିତରେ ରାଜକାର୍ଯ୍ୟ ପାଇଁ କୌଣସି ନେତାଙ୍କ ପାଖେ ସମୟ ନଥାଏ । ଶାସନ ସ୍ଥାଣୁ ଭାବେ କେବଳ ନାମକୁ ମାତ୍ର ଚାଲେ । ତେଣୁ ନେତାଙ୍କ ବ୍ୟକ୍ତିଗତ ସ୍ବାର୍ଥ ସର୍ବଦା ଜନତାଙ୍କ ସ୍ବାର୍ଥରେ ଅନ୍ତରାୟ ସୃଷ୍ଟି କରେ । ଯାହା ଏକ ସୁସ୍ଥ ଗଣତନ୍ତ୍ର ପାଇଁ କେବେ ବି ଶୁଭଙ୍କର ନୁହେଁ ।

Leave a Reply

Your email address will not be published. Required fields are marked *