ହସ୍ପିଟାଲ ଭିତରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଡାକ୍ତର ଓ କର୍ମଚାରୀଙ୍କୁ ନିର୍ଦ୍ଧୁମ ଛେଚିଲେ

ହସ୍ପିଟାଲରେ ପଶିଲେ ଆଉ ନିର୍ଦ୍ଧୁମ ଛେଚିଲେ। କେହି କିଛି ବୁଝିବା ଆଗରୁ ଡାକ୍ତରଙ୍କଠୁ ଆରମ୍ଭ କରି କର୍ମଚାରୀ କାହାରିକୁ ଛାଡିଲେ ନାହିଁ। ଗୋଡାଇ ଗୋଡାଇ ସମସ୍ତଙ୍କୁ ପିଟିଲେ । ଏହାକୁ ନେଇ ମେଡିକାଲରେ ଏକ ପ୍ରକାରର ଆତଙ୍କରାଜ୍ ଖେଳିଯାଇଥିଲା, ଯାହା ସିସିଟିଭିରେ କଏଦ ହୋଇଛି । ଆଉ ଏଭଳି ଘଟଣା ଖୋଦ ରାଜଧାନୀ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଘଟିଛି । ଅନେକ ସମୟରେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିଥାଏ । କେଉଁଠି ଡାକ୍ତରଙ୍କ ଅବହେଳା ପାଇଁ ରୋଗୀର ମୃତ୍ୟୁ ଘଟେ ତ ଆଉ କେତେବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅନେକ ରୋଗୀଙ୍କ ଜୀବନକୁ ଦୁର୍ବିସହ କରିଦେଉଥିବା ଅଭିଯୋଗ ହୋଇଆସୁଛି । ସମାନ କିଛି ଅଭିଯୋଗ ଆଣି ରୋଗୀଙ୍କ ସମ୍ପର୍କୀୟ ଏଭଳି ଆତଙ୍କ ରାଜ୍ ଖେଳାଇଥିବା ଜଣାପଡିଛି । ଥରେ ଭଲ କରି ଦେଖନ୍ତୁ ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟକୁ । କିଛି ଦୁର୍ବୃତ୍ତ ବିନା କାରଣରେ ରାଜଧାନୀରେ ଥିବା ଏକ ଘରୋଇ ହସ୍ପିଟାଲ ଭିତରକୁ ପଶି ଆସୁଛନ୍ତି । ଆଉ ରୋଗୀଙ୍କୁ ଟ୍ରିଟମେଣ୍ଟ କରୁଥିବା ଡ଼ାକ୍ତର , ନର୍ସ ଆଉ ଅନ୍ୟ ଷ୍ଟାଫଙ୍କୁ ନିର୍ଦ୍ଧୁମ ମାଡ଼ ମାରୁଛନ୍ତି । ଏନେଇ ବଡଗଡ ଥାନାରେ ହସ୍ପିଟାଲ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ସୂଚନାମୁତାବକ, ଆକ୍ରମଣ କରିଥିବା ଯୁବକମାନଙ୍କର ଜଣେ ସମ୍ପର୍କୀୟ ସେହି ହସ୍ପିଟାଲରେ ଚିକିତ୍ସା ପାଇଁ ଆସିଥିଲେ । ହେଲେ ରୋଗୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ସମସ୍ୟା ରହିଥିଲା । ତେଣୁ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ହସ୍ପିଟାଲକୁ ନେବାପାଇଁ କହିଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ହେଲେ କିଛି ନ , ନ ବୁଝି ଏଠାରେ ଚିକିତ୍ସା କରାଯାଉ ବୋଲି ଜିଦ୍ ଧରିଥିଲେ ପରିବାର ଲୋକେ । ପରେ ବହୁ ବୁଝେଇବା ଫଳରେ, ରୋଗୀଙ୍କ ସଂପର୍କୀୟ ମାନେ ଭୁବନେଶ୍ଵରର ଏକ ବଡ଼ ହସ୍ପିଟାଲକୁ ରୋଗୀକୁ ନେଇଥିଲେ । ହେଲେ ସେଠାରେ ରୋଗୀର ମୃତୁ ହୋଇଥିଲା। ଏହା ପରେ ରୋଗୀଙ୍କ ସମ୍ପର୍କୀୟ ମାନେ ଶ୍ରୀ ହସ୍ପିଟାଲକୁ ଆସି ଏମିତି ଉନ୍ମତକାଣ୍ଡ ଘଟାଇଥିଲେ । ସେମାନଙ୍କ ଆକ୍ରମଣରେ ଡ୍ୟୁଟିରେ ଥିବା ଜଣେ ଡ଼ାକ୍ତର ଗୁରୁତର ହୋଇଛନ୍ତି । ବଡ଼ଗଡ଼ ଥାନା ପକ୍ଷରୁ ତଦନ୍ତ କରାଯାଇ ୨ ଜଣଙ୍କୁ ଗିରଫ କରାଯାଇଛି ।

Leave a Reply

Your email address will not be published. Required fields are marked *