ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗ ନକୁଳ ଓ ତାଙ୍କ ପରିବାର

ଗୋଟିଏ ପଟେ ଦାରିଦ୍ର୍ୟ, ଅନ୍ୟପଟେ ଜନ୍ମରୁ ସେ ଦିବ୍ୟାଙ୍ଗ। ଗୋଡ ବଙ୍କା ଥିବାରୁ ଠିକ ଭାବେ ଚାଲବୁଲ କରିପାରନ୍ତି ନାହିଁ। ହେଲେ ହାରିଯାଇନାହାନ୍ତି କି ଅନ୍ୟମାନଙ୍କ ପରି ପେଟପାଟଣା ପାଇଁ ଭୀକ୍ଷାବୃତ୍ତିକୁ ଆପଣେଇ ନାହାନ୍ତି। ବହୁ ଅନଟନ ଭିତରେ ବି ଛଅ ପ୍ରାଣୀ କୁଟୁମ୍ବ ପୋଷିବାକୁ ଟ୍ରାଇ ସାଇକେଲ ଧରି ବାହାରିଯାଆନ୍ତି ଘରୁ। ସେଇ ଟ୍ରାଇ ସାଇକେଲରେ ଛୋଟ ଛୋଟ ଡବାରେ କିଛି ବିସ୍କୁଟ ଚକଲେଟ,କୁରକୁରି ଧରି ଖରା ବର୍ଷାକୁ ଖାତିର ନ କରି ବୁଲି ବୁଲି ବିକନ୍ତି। କିଏ କିଣେ କିଏ ମୁହଁ ବୁଲେଇ ଚାଲିଯାଏ। ତଥାପି ହତୋତ୍ସାହିତ ହୋଇନାହାନ୍ତି ସେ। ଦିନ ଯାକ ବୁଲିବା ପରେ ସନ୍ଧ୍ୟା ସମୟରେ ଘରେ ଇଲେକ୍ଟ୍ରି ବଲବ ଠିକ କରିବା କାମ କରି ବି କିଛି ରୋଜଗାର କରନ୍ତି। ଯୋଉ ଦୁଇ ପଇସା ରୋଜଗାର କରନ୍ତି ସେଥିରେ ପରିବାର ମୁହଁରେ ଦାନା ଦେଇଥାନ୍ତି। ଏତେ ସବୁ କହିବା ପରେ ବି ଆମେ କାହା କଥା କହୁଛୁ ବୋଲି ଆପଣଙ୍କ ମନରେ ପ୍ରଶ୍ନଉଠୁଥିବ।

ତେବେ ଆମେ କହୁଛୁ ଯାଜପୁର ଜିଲ୍ଲା କୋରେଇ ବ୍ଲକ ହଳଦିଗଡ଼ିଆ ପଂଚାୟତ ବନ୍ତଳା ଗ୍ରାମର ନକୁଳ ବୋଇତେଇଙ୍କ କଥା। ବୃଦ୍ଧ ବାପା ମା, ସ୍ତ୍ରୀ ଓ ଦୁଇ କୁନି ଝିଅଙ୍କୁ ନେଇ ନକୁଳଙ୍କ ପରିବାର। ଘର କହିଲେ ଝାଟିମାଟି ଦୁଇ ବଖରା । ତାରି ଭିତରେ ଗାଈ ଗୁହାଳ, ରୋଷେଇବାସ, ଶୁଆବସା ସବୁକିଛି ହୁଏ। ଭିନ୍ନକ୍ଷମ ହୋଇଥିବାରୁ ଖାଲି ତାଙ୍କୁ ଭିନ୍ନକ୍ଷମ ଭତ୍ତା କେଇଟା ମିଳୁଛି, ଯାହା ପରିବାର ଚଳାଇବାକୁ ସମୁଦ୍ରକୁ ଶଙ୍ଖେ ସଦୃଶ। ସେଥିପାଇଁ ଟ୍ରାଇସାଇକେଲରେ କିଛି ଜିନିଷ ବିକି ଦି ପଇସା ରୋଜଗାର କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଛଅ ପ୍ରାଣୀ କୁଟୁମ୍ବ ଚଳାଇବା ତାଙ୍କ ପାଇଁ ଅସମ୍ଭବ ହୋଇପଡିଛି।

ସେପଟେ ସରକାର ତାଙ୍କୁ ଭତ୍ତା ଗଣ୍ଡେ ଦେଇ ନିଜ ଦାୟିତ୍ବ ତୁଲାଇଦେଇଛନ୍ତି ସିନା ହେଲେ ଏହି ଗରିବ ପରିବାରକୁ ମିଳିନି ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ଘରଟିଏ। ତେଣୁ ଏହି ପରିବାରକୁ ଘରଟିଏ ଯୋଗାଇ ଦେବା ସହ ନକୁଳଙ୍କୁ ସ୍ବାବଲମ୍ବୀ କରିବାକୁ ସରକାର ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେଲେ ତାଙ୍କ ପରିବାର ଉପକୃତ ହେବେ ବୋଲି କହିଛନ୍ତି ନକୁଳ ଓ ତାଙ୍କ ପରିବାର।

Leave a Reply

Your email address will not be published. Required fields are marked *