ସହିଦ ପୁଅକୁ ଝୁରି ଝୁରି ଶେଷରେ ଆଖି ବୁଜିଲେ ମା’

ସହିଦ ପୁଅକୁ ଝୁରି ଝୁରି ଚାଲିଗଲା ମା’ର ଜୀବନ। ସହିଦ ହେବାର ୮ ଦିନ ପରେ ଚାଲିଗଲେ ମା’। ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ । ଏହି ଧକ୍କାକୁ ସହି ପାରିନଥିଲେ ସହିଦଙ୍କ ଅସୁସ୍ଥ ମାଆ ସୁନ୍ଦରୀ ଖୁଣ୍ଟିଆ । ୭ ଦିନ ଭିତରେ ସେ ଆହୁରି ଅସୁସ୍ଥ ହୋଇ ପଡିଥିଲେ । ଗତ ୪ ଦିନ ହେଲା ଖିଆପିଆ ଛାଡି ଦେଇଥିଲେ । ଶୁକ୍ରବାର ସକାଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ଆନନ୍ଦପୁର ହସପିଟାଲରେ ଭର୍ତି କରାଯାଇଥିଲା । ଏହା ପରେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସପ୍ତାହକ ମଧ୍ୟରେ ପୁଅକୁ ଝୁରି ଝୁରି ମାଆଙ୍କ ମୃତ୍ୟୁ ହୋଇଛି । ଏହି ଦୁଃଖଦ ଖବର ପାଇବା ପରେ ସ୍ତବ୍ଧ ହୋଇ ଯାଇଛନ୍ତି ଅଞ୍ଚଳବାସୀ । ଗତ ୧୧ ତାରିଖରେ ଝାଡ଼ଖଣ୍ଡରେ ମାଓବାଦୀଙ୍କ ସହ ମୁକାବିଲା ବେଳେ ସୁଶାନ୍ତ ସହିଦ ହୋଇଥିବା ଖବର ଆସିଥିଲା। ପୁଅ ସହିଦ ହେବା ଖବର ଶୁଣି ପୁରାପୂରି ଭାଙ୍ଗି ପଡ଼ିଥିଲେ ସୁଶାନ୍ତଙ୍କ ମା’ ଓ ଅସୁସ୍ଥ ହୋଇପଡ଼ିଥିଲେ। ଶେଷରେ କଟକରେ ଚିକିତ୍ସାଧିନ ଅବସ୍ଥାରେ ସେ ଆଖି ବୁଜିଦେଇଛନ୍ତି। ସହିଦ ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା । ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେ ପରିବାରରେ ସୁଶାନ୍ତଙ୍କ ଗର୍ଭବତୀ ପତ୍ନୀ ଛଡ଼ା ଆଉ କେହି ନାହାନ୍ତି।

Leave a Reply

Your email address will not be published. Required fields are marked *