ଭାରତ ଏସୀୟ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି । ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭାରତ ୪-୩ରେ ମାଲେସିଆକୁ ପରାସ୍ତ କରି ଚାମ୍ପିଅନ ହୋଇଛି । ଏହି ବିଜୟ ସହ ଭାରତ ୪ର୍ଥ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି । ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬ ଓ ୨୦୧୮ରେ ଚାମ୍ପିୟନ ହୋଇଥିଲା। ଏହି ମ୍ୟାଚରେ ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ୧-୩ରେ ଆଗୁଆ ଥିଲା । ଲାଗୁଥିଲା ମାଲେସିଆ ସହଜରେ ମ୍ୟାଚକୁ ଜିତିଯିବ ।
କିନ୍ତୁ ମ୍ୟାଚର ୪ର୍ଥ କ୍ବାର୍ଟରରେ ଖେଳ ନାଟକୀୟ ମୋଡ଼ ନେଇଥିଲା । ଭାରତ ପକ୍ଷରୁ କ୍ରମାଗତ ୩ଟି ଗୋଲ୍ କରି ଏକ ରୋମାଞ୍ଚକର ବିଜୟ ହାସଲ ହୋଇଥିଲା । ଚେନ୍ନାଇରେ ଖେଳାଯାଇଥିବା ଫାଇନାଲରେ ଆୟୋଜକ ଭାରତ ହାଫ୍ ଟାଇମ୍ ସୁଦ୍ଧା ୧-୩ରେ ପଛୁଆ ଥିବା ବେଳେ ଗୋଟିଏ ମିନିଟ୍ ମଧ୍ୟରେ ଦୁଇଟି ଗୋଲ୍ ଦେଇ ଭାରତ ୩-୩ରେ ସମାନ ହୋଇଥିଲା। ଅଧିନାୟକ ହରମନପ୍ରୀତ ୪୪ତମ ମିନିଟ୍ ରେ ଗୋଲ୍ ଦେଇଥିବା ବେଳେ ଗୁରଜନ୍ତ ସିଂହ ଫିଲ୍ଡ ଗୋଲ୍ ଦେଇ ସ୍କୋରକୁ ୩-୩ରେ ସମାନ କରିଥିଲେ। ୪ର୍ଥ ତଥା ବିଜୟୀ ଗୋଲଟି ଦେଇଥିଲେ ଅର୍ଶଦୀପ ସିଂ ।