ଦୁର୍ନୀତିଗ୍ରସ୍ତ ୯ ଅଧିକାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଠୋର ଆଭିମୁଖ୍ୟ

ରାଜ୍ୟରେ କର୍ମଚୋର ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ସ୍ଥାନ ନାହିଁ । ତାଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ଲଗାତାର କଠୋର ଆଭିମୁଖ୍ୟ ଜାରି ରଖିଛନ୍ତି । ଲାଞ୍ଚ ନେବା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା, ଦଣ୍ଡରେ କୋହଳ କରିବା ଭଳି ଏମିତି କାର୍ଯ୍ୟ କରି ଧରାପଡ଼ିଲେ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ୩ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିବା ବେଳେ ୬ ଜଣଙ୍କ ପେନସନ ସ୍ଥାୟୀ ଭାବରେ ବନ୍ଦ କରିଛନ୍ତି ରାଜ୍ୟ ସରକାର ।

କଟକ ଜିଲ୍ଲା RWSS Division-IIର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଶିବରାମ ବିଶ୍ୱାଳ ଏକ ଦୁର୍ନୀତି ମାମଲାରେ ଦେଷୀ ସାବ୍ୟସ୍ତ ହେବାରୁ ତାଙ୍କର ପେନ୍‌ସନକୁ ସ୍ଥାୟୀ ଭାବରେ ବନ୍ଦ କରିଛନ୍ତି । କଳାହାଣ୍ଡି କାର୍ଲାମୁଣ୍ଡା ବ୍ଳକ୍‌ର ପୂର୍ବତନ ବିଡିଓ ତଥା ଅବସରପ୍ରାସ୍ତ ଅଧିକାରୀ ଗଣ୍ଡାରାମ ଖମାରୀଙ୍କ ବିରୁଦ୍ଧରେ ମଧ୍ୟ ଆକ୍ସନ ହୋଇଛି । ଏକ ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ସେହିପରି ଉମରକୋଟର ପୂର୍ବତନ ସହକାରୀ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଯୋଗୁଁ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି ସରକାର ।

ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଜି.ଉଦୟଗିରିର ପୂର୍ବତନ ସହକାରୀ କୃଷି ଅଧିକାରୀ କୃଷ୍ଣଚନ୍ଦ୍ର ଗୌଡ଼ଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ମାଲକାନଗିରି ଜିଲ୍ଲାର ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀ ଦାଶରଥୀ ତ୍ରିପାଠୀ ମଧ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବାରୁ ତାଙ୍କର ପେନ୍‌ସନ ଓ ଗ୍ରାଚ୍ୟୁଇଟିକୁ ସ୍ଥାୟୀ ଭାବେ ବନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ ଜିଲ୍ଲା ସୋହେଲା RWSSର ପୂର୍ବତନ ଜୁନିଅର ଇଞ୍ଜିନିୟର ଉପେନ୍ଦ୍ରଭଞ୍ଜ ନାୟକ ଜଣେ ସରକାରୀ ଅଧିକାରୀ ହେବା ସତ୍ତ୍ବେ ନିଜ କାର୍ଯ୍ୟରେ ସଚ୍ଚୋଟତା ରକ୍ଷା କରିବା ଏବଂ କର୍ତ୍ତବ୍ୟ ପରାୟଣତାରେ ଫେଲ୍ ମାରିଥିଲେ । ତେଣୁ ତାଙ୍କୁ ଚାକିରିରୁ ବହିଷ୍କୃତ ହେବାକୁ ପଡ଼ିଛି ।

ସେହିପରି ସୁନ୍ଦରଗଡ଼ ଜିଲ୍ଲା ଲୋକାଲ ଫଣ୍ଡ ଅଡିଟ ବିଭାଗର ପୂର୍ବତନ ଅଡିଟର ସୁଶିଲ କୁମାର ମେହେର ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ଚାକିରି ହରାଇଛନ୍ତି । ମୟୂରଭଞ୍ଜ ଉଦଳାର ପୂର୍ବତନ ସାମାଜିକ ଶିକ୍ଷା ଅଧିକାରୀ ଆନନ୍ଦ ଚନ୍ଦ୍ର ନାୟକ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ପରେ ତାଙ୍କ ପେନ୍‌ସନ ଓ ଗ୍ରାଚ୍ୟୁଇଟି ସ୍ଥାୟୀ ଭାବେ ବନ୍ଦ କରିଛନ୍ତି ରାଜ୍ୟ ସରକାର । ସେପଟେ ନୟାଗଡ଼ ଜିଲ୍ଲା ଚାନ୍ଦପୁରର ପୂର୍ବତନ DMSN ସୁପରିଣ୍ଟେଣ୍ଡେଣ୍ଟ ସୁରେନ୍ଦ୍ର ନାଥ ପତି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଏହି ୯ ଜଣଙ୍କୁ ମିଶାଇ ଏଯାଏ ୧୯୭ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ, ବାଧ୍ୟତାମୂଳକ ଅବସର ଦିଆଯାଇଛି । କାହାର କାହାର ପେନ୍‌ସନକୁ ସ୍ଥାୟୀ ଭାବେ ବନ୍ଦ ମଧ୍ୟ କରାଯାଇଛି ।

Leave a Reply

Your email address will not be published. Required fields are marked *