ରୂପାରେ ଝଲସିଲା ଶ୍ରୀମନ୍ଦିର ସିଂହଦ୍ୱାର । ଶ୍ରୀ ମନ୍ଦିର ସିଂହଦ୍ୱାର ରୂପା ଛାଉଣୀ କାମ ଶେଷ ହୋଇଛି । ଶାଗୁଆନ୍ କାଠରେ ନବନିର୍ମିତ କବାଟ ସିଂହଦ୍ୱାରରେ ଲାଗିବା ପରେ ମୁମ୍ବାଇରୁ ଆସିଥିବା କାରିଗରମାନେ ଏହା ଉପରେ ବିଭିନ୍ନ ଡିଜାଇନର ରୂପା ପ୍ଲେଟ ସବୁ ଲଗାଇଛନ୍ତି । ଧାର୍ଯ୍ୟ ସମୟର ବହୁ ଆଗରୁ ଏହି କାମ ଶେଷ ହୋଇଛି । ଶ୍ରୀମନ୍ଦିର ସିଂହ ଦ୍ୱାର ସମ୍ପୂର୍ଣ୍ଣ ଭାବେ ନୂଆ ତିଆରି କରାଯାଇଛି ।
ପୁରୁଣା ଦ୍ୱାରକୁ ହଟାଇ ଶାଗୁଆନ୍ କାଠରେ ନୂଆ ଦ୍ୱାର ଲଗାଯାଇଛି । ମୁମ୍ବାଇରୁ ଆସିଥିବା ୧୩ ଜଣ କାରିଗର ଶାଗୁଆନ କାଠରେ ପୂର୍ବର ସିଂହଦ୍ୱାର ଭଳି ଅବିକଳ ଦ୍ୱାର ନିର୍ମାଣ କରିଛନ୍ତି । ଏହା ଉପରେ ରୂପାର କାରୁକାର୍ଯ୍ୟ ରହିଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଏହି ଦ୍ୱାରରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ । ସେପଟେ ନୀଳାଦ୍ରୀ ବିଜେ ପୂର୍ବରୁ ସିଂହଦ୍ୱାର ରଙ୍ଗକାମ ମଧ୍ଯ ଶେଷ ହୋଇଛି।
ସିଂହଦ୍ଵାରର ପୁରୁଣା ପିତ୍ତଳଦ୍ୱାରକୁ ବାହାର କରାଯାଇ ହେରାପଞ୍ଚମୀ ଦିନ ରାତିରେ ଲୁହା ଫ୍ରେମ୍ ରେ ବର୍ମାଟିକ କାଠର କବାଟ ସଂଯୋଗ କରାଯାଇଥିଲା। ତା ଉପରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ଚଦରକୁ ଛାଉଣୀ କରାଯାଇଥିଲା। ନିତିକାନ୍ତିକୁ ନେଇ ରୂପା ଦ୍ୱାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ୱାର ଲଗାଯାଇଥିଲା। ସେପଟେ ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ୱାର ଉପରେ ସମ୍ପୂର୍ଣ୍ଣ ରୂପାଛାଉଣୀ କରାଯାଇଛି। ଏହି ଦ୍ୱାରରେ ମଧ୍ୟ ଏକ ଚୋରା କବାଟ ରହିଛି। ଏହିପଟେ ମନ୍ଦିର ଭିତରେ ରହିଯାଇଥିବା ଭକ୍ତ ଓ ସେବକ ଆସିଥାନ୍ତି।
ସେପଟେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଆଠ ଗୋଟି ଦ୍ୱାର ରୂପା ଛାଉଣୀ ସରିଥିବା ବେଳେ ସିଂହଦ୍ୱାର ରୂପା ଛାଉଣୀ ମୁମ୍ବାଇର ଜଣେ ଦାତାଙ୍କ ଦାନରୁ ସମ୍ଭବ ହୋଇଛି। ଏହି ଦାତା ପୁରୀ ଶ୍ରୀମନ୍ଦିରକୁ ୫ କେଜିର ସୁନା ଦାନ କରିଥିଲେ। ସେହି ରୂପାରେ ଚାଦର ତିଆରି କରି ପାରମ୍ପରିକ ଡିଜାଇନ କରାଯାଇଛି। ନିଳାଦ୍ରୀ ଭକ୍ତ ନିବାସରେ ରୂପାଦ୍ୱାର ନିର୍ମାଣ କରାଯାଇଥିଲା। ଆବଶ୍ୟକୀୟ ଏନଓସି ଏଏସଆଇ ଠାରୁ ଅଣାଯିବା ପରେ ଦୁଆର କାର୍ଯ୍ୟ ହୋଇଚି। ଏଥିସହ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯାଇଥିଲା।
ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବା ନେଇ ପ୍ରସ୍ତାବ ରହିଛି। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ବାହୁଡା ପୂର୍ବଦିନ ରାତି ମଧ୍ୟରେ ହିଁ ସିଂହଦ୍ଵାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟ ମାନେ ସିଂହଦ୍ଵାର ଅନୁଧ୍ୟାନ କରି ନିସ୍ପତି ନେଇଥିଲେ। ତେବେ
ପୂର୍ବରୁ ଶ୍ରୀମନ୍ଦିରର ଜୟବିଜୟ, ବେହେରଣ ଓ କଳାହାଟ ଦ୍ୱାର ସମେତ ମହାଲକ୍ଷ୍ମୀଙ୍କଗର୍ଭଦ୍ୱାର,ବିମଳା, ସାତପାହାଚ, ନୃସିଂହ ଏବଂ ପଶ୍ଚିମ ଭୋଗମଣ୍ଡପ ଦ୍ୱାରକୁ ମିଶାଇ ମୋଟ ଆଠ ଗୋଟି ଦ୍ଵାରକୁ ରୁପା ଛାଉଣୀ କରାଯାଇଛି। ତେବେ ଆଗାମୀ ଦିନ ରେ ଶ୍ରୀ ମନ୍ଦିର ର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦ୍ଵାର କୁ ମଧ୍ୟ ରୁପା ଛାଉଣି ପାଇଁ ଯୋଜନା ରହିଛି।