ମହାପ୍ରଭୁଙ୍କ ନାମରେ ଭକ୍ତଙ୍କୁ ଠକେଇ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ଭୋଗ ଲଗେଇବାକୁ କହି ଭକ୍ତଙ୍କୁ ଲଗାଯାଉଛି ଚୂନ। ଅନ୍ଲାଇନ ବିଜ୍ଞାପନରେ ଚାଲିଛି ଏହି କେଳେଙ୍କାରୀ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସାରା ବିଶ୍ବରେ ରହିଛନ୍ତି ଭକ୍ତ। ଭକ୍ତ ନିଜ ଭକ୍ତି ଅର୍ଘ୍ୟ ପ୍ରଭୁଙ୍କ ନିକଟରେ ଅର୍ପଣ କରିବାକୁ ବ୍ୟାକୁଳ। ଏହାର ସୁଯୋଗ ନେଇ ଅନଲାଇନ ଠକ, ଠକି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା। ‘ଉତ୍ସବ’ ନାମକ ଏକ ଆପ୍ ଦ୍ୱାରା ପଶ୍ଚିମବଙ୍ଗରର ଜଣେ ବ୍ୟକ୍ତି ହଜାର ହଜାର ଭକ୍ତଙ୍କୁ ଠକିବାର ହେଉଛନ୍ତି ଅଭିଯୋଗ।
ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାର ପୂଜା ଓ ଭୋଗ ଲାଗି ପାଇଁ ପୃଥକପୃଥକ ରେଟ୍ ଚାର୍ଟ ରହିଛି ଆପରେ । ଶ୍ରୀବିଗ୍ରହଙ୍କ ମାସିକିଆ ପୂଜା ପାଇଁ ୮,୧୦୦ ଟଙ୍କା, ରଥଯାତ୍ରାରେ ସ୍ବତନ୍ତ୍ର ଭୋଗ ପାଇଁ ୪, ୫୦୧ ଟଙ୍କା, ଶ୍ରୀମନ୍ଦିରରେ ଧ୍ଵଜା ବାନ୍ଧିବାକୁ ୨,୧୫୧ ଟଙ୍କା ପରି ବିଭିନ୍ନ ପୂଜା ବିଧି ପାଇଁ ରହିଛି ଭିନ୍ନ ଭିନ୍ନ ରେଟ। ବର୍ତ୍ତମାନ ସୁଦ୍ଧା ଏହି ଆପ୍ ମାଧ୍ୟମରେ ଅନ୍ଲାଇନ ଭୋଗ ଲଗାଇବାକୁ ୩,୭୦୦ରୁ ଅଧିକ ଭକ୍ତ ନାମ ପଞ୍ଜିକରଣ କରିଥିବା ଆପରୁ ଜଣାପଡିଛି। କାଳିଆ ନାମରେ ଏପରି ମହା ଠକେଇର ଖୁଲାସା ହେବା ପରେ ଆରମ୍ଭ ହୋଇଛି ତମ୍ବିତୁଫାନ। ଶ୍ରୀମନ୍ଦିରର ଛାମୁ ଖୁଣ୍ଟିଆ ସେବାୟତ, ଶମ୍ଭୁନାଥ ଖୁଣ୍ଟିଆ ଏନେଇ ଆପତ୍ତି ଉଠାଇବା ସହ ସିଂହଦ୍ଵାର ଥାନାରେ କରିଛନ୍ତି ଅଭିଯୋଗ । ଆପର ମୁଖ୍ୟ ସୌରଜିତ ବାସୁ, ପ୍ରଜତ ସାମନ୍ତ ଏବଂ ଅଙ୍କିତା ଦେଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେଉଛି ଦାବି।
ତେବେ ଏହି ଏତଲା ପରେ ଦେଖିବାକୁ ବାକି ରହିଲା ପୋଲିସ ପ୍ରଶାସନ ଓଡିଆଙ୍କ ଭାବାବେଗ ସହ ଜଡିତ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ କରାଯାଇଥିବା ପାପ ପାଇଁ କି ପଦକ୍ଷେପ ନେଉଛି ? କେବେ ଏହି ମହାଠକଙ୍କୁ ନିଆଯାଉଛି କାଠଗଡାକୁ?