
ରାଜ୍ୟରେ ଅସହ୍ୟ ତାତି ଏବଂ ପ୍ରବଳ ଗୁଳୁଗୁଳି । ହେଲେ ଏହା ବେଶୀଦିନ ରହିବ ନାହିଁ । କାରଣ ଖୁବଶୀଘ୍ର ଏହି ତାତିରୁ ମୁକ୍ତି ମିଳିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

ଖୁବଶୀଘ୍ର ଓଡ଼ିଶାକୁ ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସେଥିପାଇଁ ରାଜ୍ୟରେ ଆଜିଠାରୁ କିଛି ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଆସନ୍ତାକାଲିଠୁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୩ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ମିଳିଛି । ବର୍ଷା ସମ୍ଭାବନା ଥିବାରୁ ଆଜି ଓ କାଲି ଯାଏ କୌଣସି ସ୍ଥାନକୁ ହିଟୱେଭ୍ ଆଲର୍ଟ ଜାରି କରାଯାଇନାହିଁ । ତେଣୁ ପ୍ରବଳ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି ।

ସେପଟେ ବର୍ଷା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରାରେ ହ୍ରାସ ଘଟିଛି । ଆନ୍ଧ୍ରପ୍ରଦେଶ,ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହୋଇଛି । ଓଡ଼ିଶାରେ ମୌସୁମୀ ପାଇଁ ପାଣିପାଗ ବେଶ୍ ଅନୁକୂଳ ରହିଛି । ଦକ୍ଷିଣ ଓଡ଼ିଶାରେ କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି ଗଞ୍ଜାମ,ମୟୂରଭଞ୍ଜ,କୋରାପୁଟ, ମାଲକାନଗିରି ଏବଂ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।