ବିପର୍ଯ୍ୟୟ ସମୟରେ ଜନ୍ମ ନେଲେ ୭୦୭ ଶିଶୁ

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ ପ୍ରକୋପରେ ଗୁଜରାଟ ଥରହର ହେଉଥିବା ବେଳେ ସେହି ରାତିରେ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୭୦୭ ଶିଶୁ ଜନ୍ମ ଗ୍ରହଣ କରିଥିବା ସରକାରୀ ତଥ୍ୟରୁ ଜଣାପଡିଛି। ସାମୁଦ୍ରିକ ବାତ୍ୟା ଯୋଗୁଁ ଅଧିକ ପ୍ରଭାବିତ ହେବାର ଆଶଙ୍କା ଥିବା ଅଞ୍ଚଳରୁ ସ୍ଥାନାନ୍ତରଣରେ ଆସିଥିବା ଆସନ୍ନପ୍ରସବାମାନେ ଏହି ଶିଶୁମାନଙ୍କୁ ଜନ୍ମ ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁଜରାଟର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରୁ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା। ବାତ୍ୟା ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ଗଛବୃଚ୍ଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି, ଘରଦ୍ବାର ଭାଙ୍ଗି ଅନେକ କ୍ଷୟକ୍ଷତି ହୋଇଥିଲା। ତେବେ ଆଶ୍ବସ୍ତିର ବିଷୟ କି ଏହି ବିପର୍ଯ୍ୟୟ ବାତ୍ୟାରେ କାହାରି ମୃତ୍ୟୁ ଘଟିନାହିଁ।

ସାମୁଦ୍ରିକ ବାତ୍ୟା ‘ବିପର୍ଯ୍ୟୟ’ଦ୍ବାରା ବିଶେଷ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଥିବା ୮ଟି ଜିଲ୍ଲାରୁ ୧,୧୭୧ ଅନ୍ତଃସତ୍ତ୍ବା ମହିଳାଙ୍କ ମଧ୍ୟରୁ ପ୍ରଶାସନ ପ୍ରାୟ ୧,୧୫୨ଜଣଙ୍କୁ ସ୍ଥାନାନ୍ତରଣ କରିଥିଲା। ବାତ୍ୟା ଦିନ ସେମାନଙ୍କ ମଧ୍ୟରୁ ୭୦୭ଜଣ ମହିଳା  ପ୍ରସବ କରିଥିବା ସରକାରୀ ବିବୃତିରୁ ଜଣାପଡ଼ିଛି।

ତେବେ ଏହି ଅନ୍ତସତ୍ତ୍ୱାଙ୍କ ମଧ୍ୟରୁ ସର୍ବାଧିକ ସ୍ଥାନାନ୍ତରିତ ହୋଇଥିଲେ କଚ୍‌ ଜିଲ୍ଲାରୁ। ସେମାନଙ୍କ ମଧ୍ୟରୁ ୩୪୮ଜଣ ସନ୍ତାନ ପ୍ରସବ କରିଛନ୍ତି। ସେହିପରି, ରାଜକୋଟ ଜିଲ୍ଲାର ୧୦୦ ଜଣ ଓ ଦେବଭୂମି ଦ୍ବାରକାର ୯୩ଜଣ ଅନ୍ତଃସତ୍ତ୍ବା ମହିଳା ମଧ୍ୟ ବାତ୍ୟା ସମୟରେ ସନ୍ତାନ ପ୍ରସବ କରିଛନ୍ତି।

ଏହି ବିବୃତିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଗୁଜରାଟ ହସ୍ପିଟାଲ୍‌ ଓ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଉପରୋକ୍ତ ୭୦୭ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି। ଏହି ଆପତ୍ତକାଳରେ ରାଜ୍ୟ ସରକାରର ୩୦୨ଟି ସରକାରୀ ଗାଡ଼ି ଓ ୨୦୨ଟି ଆମ୍ବୁଲାନ୍‌ସ୍‌ ଦିନରାତି କାମରେ ଲାଗିଥି‌ଲା। ପ୍ରତି ଗାଡ଼ିରେ ଡାକ୍ତରଖାନା କର୍ମଚାରୀ ନିୟୋଜିତ ଥିଲେ।

ବାତ୍ୟା ବିପର୍ଯ୍ୟୟରେ ଶତାଧିକ ବିଦ୍ୟୁତ ଖୁଣ୍ଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦୦୦ରୁ ଅଧିକ ଗାଁରେ ବିଜୁଳି ସରବରାହ ବ୍ୟାହତ ହୋଇଛି। ବାତ୍ୟାରେ କୌଣସି ଜୀବନ ହାନୀ ହୋଇନଥିବାରୁ ଏହାକୁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଦିଗରେ ଏକ ବଡ ଉପଲବ୍ଧି ବୋଲି କୁହାଯାଉଛି।  କିନ୍ତୁ ବାତ୍ୟା ଯୋଗୁଁ ୨୩ ଜଣ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶହ ଶହ ଘର ଭାଙ୍ଗିଯାଇଛି ।

ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରୁ ଆରମ୍ଭ ହୋଇ ଶୁକ୍ରବାର ରାତି ପ୍ରାୟ ସାଢ଼େ ୨ଟା ପର୍ଯ୍ୟନ୍ତ ଚାଲିଥିଲା ସାମୁଦ୍ରିକ ଝଡ଼। ଏହି ସମୟରେ ସମଗ୍ର କଚ୍ଛ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ବାତ୍ୟା ଯୋଗୁଁ ଘଣ୍ଟା ପ୍ରତି ୧୪୦ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ବହୁ ସଂଖ୍ୟାରେ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ତଳିଆ ଗାଁଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏବେ ବି ଗୁଜରାଟର କେତେକ ସ୍ଥାନରେ ବର୍ଷା ଓ ପବନ ଜାରି ଥିବାବେଳେ ରାଜସ୍ଥାନରେ ବି ମୁଷଳ ବର୍ଷା ହେଉଛି ।

Leave a Reply

Your email address will not be published. Required fields are marked *