ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଅସ୍ଥିରତା ମଧ୍ୟରେ ପାକିସ୍ତାନ ଏବେ ଜଣେ ମୁଖ୍ୟ ମଧ୍ୟସ୍ଥି ଭାବେ ଉଭା ହୋଇଛି। ଅଞ୍ଚଳରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଇସଲାମାବାଦ ନିଜର କୂଟନୈତିକ ପ୍ରୟାସକୁ ଦ୍ୱିଗୁଣିତ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଏକ ଟେଲିଫୋନିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଶାହବାଜ ସରିଫ ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରି ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ସାଉଦି ଆରବ, କତାର ଏବଂ ତୁର୍କୀର ନେତାମାନଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଇରାନକୁ ଅବଗତ କରାଇଛନ୍ତି।

ସମସ୍ତ ମୁସଲିମ ରାଷ୍ଟ୍ର ଏକାଠି ହୋଇ ସମାଧାନର ବାଟ ବାହାର କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଗୋଟିଏ ପଟେ ପାକିସ୍ତାନ ଶାନ୍ତି ଚାହୁଁଥିବା ବେଳେ, ଅନ୍ୟପଟେ ଇରାନ ଆମେରିକାର ପ୍ରସ୍ତାବକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ନେତୃତ୍ୱରେ ହେବାକୁ ଥିବା କୌଣସି ଆଲୋଚନାରେ ଅଂଶଗ୍ରହଣ କରିବାକୁ ତେହେରାନ ମନା କରିଦେଇଛି। ପ୍ରଥମ ପର୍ଯ୍ୟାୟ ଆଲୋଚନାରେ ଆଶାଜନକ ସଫଳତା ମିଳିନଥିଲେ ମଧ୍ୟ ଆମେରିକା ନିଜର ପ୍ରୟାସ ଜାରି ରଖିଛି। ସୋମବାର ଏକ ଶକ୍ତିଶାଳୀ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚୁଛନ୍ତି: ହ୍ୱାଇଟ୍ ହାଉସର ଏହି ଦୁଇ ଜଣ ପ୍ରଭାବଶାଳୀ ସ୍ୱତନ୍ତ୍ର ଦୂତ ପାକିସ୍ତାନ ସରକାରଙ୍କ ସହ ସାକ୍ଷାତ କରିବେ। ଉପରାଷ୍ଟ୍ରପତି ଜେଡି ଭାନ୍ସ ଏହି ଗସ୍ତରେ ସାମିଲ ହେବେ କି ନାହିଁ, ସେ ନେଇ ଏପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି। ଇରାନ ଏବଂ ଆମେରିକା ମଧ୍ୟରେ ବଢୁଥିବା ଦୂରତାକୁ କମାଇବା ପାଇଁ ପାକିସ୍ତାନ ଏକ ‘ସେତୁ’ ଭାବେ କାର୍ଯ୍ୟ କରୁଛି। ଯଦି ପାକିସ୍ତାନ ଏହି ମଧ୍ୟସ୍ଥତାରେ ସଫଳ ହୁଏ, ତେବେ ମଧ୍ୟପ୍ରାଚ୍ୟରେ ରକ୍ତପାତ ବନ୍ଦ ହେବାର ଏକ ନୂତନ ଆଶା ସଞ୍ଚାର ହେବ। ଇରାନର କଠୋର ଆଭିମୁଖ୍ୟ ଏବଂ ଆମେରିକାର କୂଟନୈତିକ ଚାପ ମଧ୍ୟରେ ପାକିସ୍ତାନର ଭୂମିକା ଅତ୍ୟନ୍ତ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି। ଆଗାମୀ କିଛି ଦିନ ମଧ୍ୟପ୍ରାଚ୍ୟର ଭବିଷ୍ୟତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ।