ଆଜି ମଧ୍ୟହ୍ନରେ ନିଆଁ ଲାଗି ଦୁଇ ପରିବାରର ୪ ବଖରା ଘର ପୋଡି ଯାଇଛି। ମୟୂରଭଞ୍ଜ ଜିଲ୍ଲା ବାବନଘାଟି ଉପଖଣ୍ଡର ବିଜାତଳା ବ୍ଲକ୍ ବଣକାଟି ପଞ୍ଚାୟତ ବାଲିଆଢ଼ିପା ପରାଉଡ଼ି ଗ୍ରାମରେ ଏହି ଅଗ୍ନିକାଣ୍ଡ ହୋଇଛି। ତେବେ ମଧ୍ୟାହ୍ନରେ ସମସ୍ତ କାମକୁ ଯାଇଥିବାରୁ କେହି ମୃତାହତ ହୋଇ ନ ଥିବାର ସୂଚନା ରହିଛି।
ବାଲିଆଢ଼ିପା ପରାଉଡ଼ି ଗାଁର ଅନନ୍ତ ଚରଣ ଟୁଡୁ ଓ ଦୁବରାଜ ବାସକେଙ୍କ ପରିବାର ସବୁଦିନ ପରି ଆଜି ମଧ୍ୟ କାମକୁ ଯାଇଥିଲେ। ମଧ୍ୟାହ୍ନ ପ୍ରାୟ ୧ଟାରେ ହଠାତ୍ ସାହି ପଡିଶା ଦେଖିଥିଲେ କି ସେମାନଙ୍କ ଅନନ୍ତ ଓ ଦୁବରାଜଙ୍କ ଘରେ ନିଆଁ ଲାଗିଯାଇଛି ଓ ଚାଳରୁ ହୁତୁ ହୁତୁ ହୋଇ ଜଳୁଛି। ଏହା ଦେଖି ଗ୍ରାମବାସୀ ୱାର୍ଡ ମେମ୍ୱରଙ୍କୁ ଖବର ଦେଇଥିଲେ। ୱାର୍ଡ ମେମ୍ବରଙ୍କଠାରୁ ଖବର ପାଇ ବିଜାତାଲା ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲା।
ନିଆଁ ଲାଗିବା ବେଳେ ପରିବାରର କେହି ଘରେ ନଥିବାରୁ ଏକ ବଡଧରଣର ଅଘଟଣ ଟଳିଯାଇଥିବା ବେଳେ କିନ୍ତୁ ଦୁଇ ପରିବାରର ସମସ୍ତ କାଗଜ ପତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇ ଯାଇଛି। ନିଆଁ ସର୍ଟସର୍କିଟରୁ ଲାଗିଥିବା ସନ୍ଦେହ କରାଯାଉଛି।