ସର୍ଚ୍ଚ ଅପରେସନ ବେଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ

ଜମ୍ମୁ-କଶ୍ମୀରର ରଜୌରୀରେ ଆତଙ୍କୀଙ୍କ ଉପସ୍ଥିତି ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଆତଙ୍କବାଦୀଙ୍କ ଆକ୍ରମଣରେ ଦୁଇ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ପକ୍ଷରୁ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଏହି ଆକ୍ରମଣ ହୋଇଥିଲା। ଜମ୍ମୁ-କଶ୍ମୀରରେ ବିଗତ ତିନି ଦିନରେ ତୃତୀୟ ଥର ପାଇଁ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି।

ଶୁକ୍ରବାର ସକାଳେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା। ଏହି ଅପରେସନ  ବେଳେ ହଠାତ୍  ଆତଙ୍କବାଦୀ ଯବାନଙ୍କ ଉପରକୁ ଗୁଳି ମାଡ଼ କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ସେନା ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା। ଉଭୟ ପକ୍ଷର ଗୁଳି ବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି।

ରଜୌରୀ ସେକ୍ଟରର କାଣ୍ଡି ଜଙ୍ଗଲରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ବିଶେଷ ସୂତ୍ରରୁ  ଖବର ମିଳିଥିଲା। ସକାଳ ପ୍ରାୟ ୭.୩୦ରେ ସେନା ଓ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। କିନ୍ତୁ ଅଞ୍ଚଳଟି ଘଞ୍ଚ ଜଙ୍ଗଲ ଓ ପାହାଡ଼ରେ ଭରି ରହିଥିବାରୁ ସୁରକ୍ଷାକର୍ମୀଙ୍କୁ ଅପରେସନରେ  ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ଏହି ସମୟରେ ଆତଙ୍କବାଦୀମାନେ ବିସ୍ଫୋରଣ କରିବା ଆରମ୍ଭ କରିଥିଲେ। ଏଥିସହ ଗୁଳିମାଡ଼ ମଧ୍ୟ କରିଥିଲେ। ସୁରକ୍ଷାକର୍ମୀମାନେ ଏହାର ଜବାବ ଦେବାରୁ ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଆରମ୍ଭ ହୋଇଥିଲା।

ଏଥିରେ ୨ ଜଣ ଯବାନ ପ୍ରାଣ ହରାଥିବା ବେଳେ ଜଣେ ଅଫିସରଙ୍କୁ ମିଶାଇ ୪ ଜଣ ଆହତ ହୋଇଛନ୍ତି। ଏନକାଉଣ୍ଟର ସ୍ଥଳକୁ ଅଧିକ ସଂଖ୍ୟକ ଫୋର୍ସ ପଠାଯିବା ସହ ଆହତମାନଙ୍କୁ ଉଦ୍ଧମପୁର ସ୍ଥିତ କମାଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏବେ ଆତଙ୍କବାଦୀଙ୍କୁ ଧରିବା ପାଇଁ ଅପରେସନ ଜାରି ରହିଥିବା ସେନା ପକ୍ଷରୁ କୁହାଯାଇଛି।

ଘଟଣା ପରେ ସହିଦ ଓ ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆଯାଇଥିଲା। ଆହତଙ୍କ ଆର୍ମି ହସ୍ପିଟାଲରେ ଚିକିତ୍ସା କରାଯାଉଛି।  ଜମ୍ମୁ ଏଡିଜି ମୁକେଶ ସିଂହ ଏନକାଉଣ୍ଟର ସାଇଟରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବାକୁ ବିଶେଷ ଟିମ ପହଞ୍ଚି ଅପରେସନ ଜାରି ରଖିଛନ୍ତି।

ଗୁରୁବାର ବାରମୁଲ୍ଲା ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ଆତଙ୍କୀ ନିହତ ହୋଇଥିଲେ। ସେହିପରି ବୁଧବାର କୁପୱାଡା ଜିଲ୍ଲାର ପିକହାଣ୍ଡ ମାଛିଲ ସେକ୍ଟରେ ଅନୁପ୍ରବେଶ ଉଦ୍ୟମ କରି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କୀ ନିହତ ହୋଇଥିଲେ।

Leave a Reply

Your email address will not be published. Required fields are marked *