
ଆଜି ଶ୍ରୀକ୍ଷେତ୍ର ପୁରୀରେ ଭକ୍ତି, ଭାବ ଓ ଆଧ୍ୟାତ୍ମିକତାର ଏକ ମହାନ ପର୍ବ | ସରିଲା ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଲୀଳାଖେଳା । ଏବେ ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି | ପରମ୍ପରା ଅନୁସାରେ ପହଣ୍ଡି ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଏହା ପରେ ଅପରାହ୍ନ ୪ଟାରେ ଭକ୍ତମାନଙ୍କ “ହରିବୋଲ” ଓ “ଜୟ ଜଗନ୍ନାଥ” ଧ୍ୱନି ମଧ୍ୟରେ ରଥ ଟଣା ଆରମ୍ଭ ହେବ।ଭୋର ୪ଟାରୁ ମଙ୍ଗଳ ଆଳତୀ ସହ ବିଭିନ୍ନ ନୀତି ଆରମ୍ଭ ହେବ। ଦିନ ୧୨ଟାରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ବାହୁଡ଼ା ପହଣ୍ଡି, ଏହାପରେ ଗଜପତି ମହାରାଜଙ୍କ ଛେରା ପହଁରା ନୀତି ସମ୍ପନ୍ନ ହେବ। ସବୁ ନୀତି ଶେଷ ହେବା ପରେ ଅପରାହ୍ନ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ।
ଶୃଙ୍ଖଳିତ ନୀତି, କଡ଼ା ସୁରକ୍ଷା ଓ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା । ଏହି ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗ, ସ୍ୱେଚ୍ଛାସେବୀ ଓ ସେବାୟତମାନେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛନ୍ତି। ଭକ୍ତମାନଙ୍କ ସୁରକ୍ଷିତ ଦର୍ଶନ ଓ ସୁରୁଖୁରୁରେ ରଥଟଣା ସମ୍ପନ୍ନ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ବାହୁଡା ଯାତ୍ରା କେବଳ ଏକ ପରମ୍ପରା ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଅତୁଟ ଆଧ୍ୟାତ୍ମିକ ସମ୍ପର୍କର ପ୍ରତୀକ। ମହାପ୍ରଭୁଙ୍କ ଏହି ଫେରନ୍ତା ଯାତ୍ରାକୁ ନେଇ ସମଗ୍ର ଶ୍ରୀକ୍ଷେତ୍ର ଉତ୍ସବମୁଖର ହୋଇଉଠିଛି।
ବିଶ୍ୱପ୍ରସିଦ୍ଧ ବାହୁଡ଼ା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିସ୍ତୃତ ନୀତିନିର୍ଘଣ୍ଟ ପ୍ରକାଶ କରାଯାଇଛି। ନୀତି ଅନୁଯାୟୀ, ସକାଳ ୭ଟାରୁ ଦିନ ୧ଟା ୩୦ ମଧ୍ୟରେ ସେନାପଟା ଲାଗି ନୀତି ସମ୍ପନ୍ନ ହେବ। ଏହାପରେ ଦିନ ୧୨ଟାରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହେବ। ହଣ୍ଡି ଶେଷ ହେବା ପରେ ଅପରାହ୍ନ ୨ଟା ୩୦ରୁ ୩ଟା ୩୦ ମଧ୍ୟରେ ଗଜପତି ମହାରାଜଙ୍କ ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ ହେବ। ତା’ପରେ ଅପରାହ୍ନ ୪ଟାରେ ତିନି ରଥ ଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି |
ବାହୁଡ଼ା ଯାତ୍ରା ସମୟରେ ପ୍ରବଳ ବର୍ଷା ହେଲେ ମହାପ୍ରଭୁଙ୍କ ଟାହିଆ ଓ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ପରିସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି। ଏହା ସହ ନୀତିକାନ୍ତି ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ, ସେଥିପାଇଁ ସେବାୟତ, ପ୍ରଶାସନ ଓ ସୁରକ୍ଷା ବାହିନୀ ମଧ୍ୟରେ ସମନ୍ୱୟ ରଖାଯାଇଛି।