
ବିଶ୍ୱବ୍ୟାପୀ ରଥଯାତ୍ରାକୁ ନେଇ ଇସ୍କନ ରଖିଛି ନିଜର ସ୍ପଷ୍ଟୀକରଣ। ଅଦିନିଆ ରଥଯାତ୍ରାକୁ କେନ୍ଦ୍ର କରି ଦେଶବ୍ୟାପୀ ଚର୍ଚ୍ଚା ଓ ବିବାଦ ଜାରି ଥିବା ବେଳେ, ଇସ୍କନ ପକ୍ଷରୁ ଜାରି କରାଯାଇଥିବା ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଇସ୍କନ କହିଛି, ଭଗବାନ ଶ୍ରୀଜଗନ୍ନାଥଙ୍କ ମହିମାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ହେଉଛି ସେମାନଙ୍କର ମୂଳ ଉଦ୍ଦେଶ୍ୟ। ବର୍ତ୍ତମାନ ବିଶ୍ୱର ଅନେକ ଦେଶରେ ରଥଯାତ୍ରା ଆୟୋଜନ କରାଯାଉଛି। ତେବେ ପ୍ରତ୍ୟେକ ଦେଶର ଆଇନ, ପ୍ରଶାସନିକ ଅନୁମତି, ପାଣିପାଗ, ଛୁଟି ଦିନ ଏବଂ ସ୍ଥାନୀୟ ପରିସ୍ଥିତି ଭିନ୍ନ ଥିବାରୁ ସବୁ ସ୍ଥାନରେ ପୁରୀ ଶ୍ରୀମନ୍ଦିରର ତିଥି ଅନୁଯାୟୀ ରଥଯାତ୍ରା କରିବା ସମ୍ଭବ ହୋଇନଥାଏ।

ସେଥିପାଇଁ ଭକ୍ତମାନଙ୍କର ସହଭାଗିତା ଓ ସୁବିଧାକୁ ଦୃଷ୍ଟିରେ ରଖି କେତେକ ସ୍ଥାନରେ ଭିନ୍ନ ତାରିଖରେ ରଥଯାତ୍ରା ଆୟୋଜନ କରାଯାଉଥିବା ଇସ୍କନ ସ୍ପଷ୍ଟ କରିଛି। ସଂସ୍ଥା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଏହା ପଛରେ କୌଣସି ପରମ୍ପରାକୁ ଅବମାନନା କରିବାର ଉଦ୍ଦେଶ୍ୟ ନାହିଁ, ବରଂ ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପ୍ରଚାର ହିଁ ପ୍ରମୁଖ ଲକ୍ଷ୍ୟ।
ଅନ୍ୟପଟେ, ଶ୍ରୀମନ୍ଦିର ପରିଚାଳନା କମିଟି, ମୁକ୍ତିମଣ୍ଡପ ପଣ୍ଡିତ ସଭା ଏବଂ ଗଜପତି ମହାରାଜା ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି ଯେ, ରଥଯାତ୍ରା ଏକ ଶାସ୍ତ୍ରବିହିତ ନୀତି ଓ ଏହା କେବଳ ନିର୍ଦ୍ଧାରିତ ତିଥିରେ ହିଁ ପାଳନ କରାଯିବା ଉଚିତ। ଅଦିନିଆ ରଥଯାତ୍ରା ଧାର୍ମିକ ପରମ୍ପରା ସହ ସଙ୍ଗତିପୂର୍ଣ୍ଣ ନୁହେଁ ବୋଲି ସେମାନେ ମତ ରଖିଛନ୍ତି।