
ପୁଣି ସାମ୍ନାକୁ ଆସିଲା ଆଇନକୁ ହାତକୁ ନେବାର ଚିତ୍ର।ଯୁବତୀଙ୍କୁ ଦୁର୍ବ୍ୟବହାର ଉଦ୍ୟମ ଅଭିଯୋଗରେ ଜଣେ ଯୁବକଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।କଥା କଥାକେ ଲୋକେ ଆଇନକୁ ହାତକୁ ନେଉଥିବା ଘଟଣା ନେଇ ପୁଣି ଉଠିଛି ପ୍ରଶ୍ନ। ବାଲିଅନ୍ତା ଘଟଣାର ଚର୍ଚ୍ଚା ଥମି ନଥିବାବେଳେ ଏବେ ମୟୂରଭଞ୍ଜର ଏହି ଘଟଣା ଲୋକଙ୍କ ମନରେ ଭୟ ଓ ଅସୁରକ୍ଷାର ଭାବନା ସୃଷ୍ଟି କରିଛି।
ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ବରହମପୁର ଗାଁରେ। ସୂଚନା ଅନୁଯାୟୀ, ବାରିପଦା ଅଞ୍ଚଳର ଦୁଇ ଜଣ ଯୁବକ ରାତି ସମୟରେ ଗାଁକୁ ପଶିଥିଲେ।ଅଭିଯୋଗ ହୋଇଛି ଯେ, ସେମାନେ ଜଣେ ଯୁବତୀଙ୍କୁ ଦୁର୍ବ୍ୟବହାର କରିବା ଉଦ୍ୟମ କରିଥିଲେ।ଯୁବତୀଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଘଟଣାସ୍ଥଳକୁ ଧାଇଁ ଆସିଥିଲେ।ପରିସ୍ଥିତି ଗମ୍ଭୀର ହେବାରୁ ଦୁଇ ଯୁବକଙ୍କ ମଧ୍ୟରୁ ଜଣେ କୌଶଳକ୍ରମେ ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇଥିଲେ।କିନ୍ତୁ ଅନ୍ୟ ଜଣକୁ ଗ୍ରାମବାସୀ କାବୁ କରି ଗଛରେ ବାନ୍ଧି ଦେଇଥିଲେ।ପରେ ଉତ୍ତେଜିତ ଲୋକେ ତାଙ୍କୁ ଉତ୍ତମ ମଧ୍ୟମ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ସମୟରେ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।କେହି କେହି ଏହାର ଭିଡିଓ ମଧ୍ୟ ମୋବାଇଲରେ ଧାରଣ କରିଥିବା ସୂଚନା ମିଳିଛି।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ଅଭିଯୋଗ, ସ୍ଥାନୀୟ ଲୋକଙ୍କ ବୟାନ ଓ ଘଟଣାର ପରିସ୍ଥିତିକୁ ଆଧାର କରି ପୋଲିସ ଆଗାମୀ କାର୍ଯ୍ୟନୁଷ୍ଠାନ ନେବ ବୋଲି ସୂଚନା ମିଳିଛି।
ତେବେ ଘଟଣା ପରେ ଏକ ବଡ଼ ପ୍ରଶ୍ନ ଉଠିଛି।ଅପରାଧ ଘଟିଲେ ଲୋକେ କାହିଁକି ଆଇନ ଉପରେ ଭରସା ରଖୁନାହାନ୍ତି? କାହିଁକି ନିଜେ ନ୍ୟାୟ ଦେବାକୁ ଆଗକୁ ଆସୁଛନ୍ତି? ବାଲିଅନ୍ତାର ବର୍ବର ଘଟଣା ପରେ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଜନତା କୋର୍ଟ ଦୃଶ୍ୟ ପୁଣିପୁଣି ସାମ୍ନାକୁ ଆସୁଛି।ଏହା କେବଳ ଆଇନ ବ୍ୟବସ୍ଥା ପାଇଁ ଚ୍ୟାଲେଞ୍ଜ ନୁହେଁ, ସମାଜରେ ବଢୁଥିବା ଅସହିଷ୍ଣୁତାର ମଧ୍ୟ ଏକ ଭୟଙ୍କର ସଙ୍କେତ ବୋଲି ଆଲୋଚନା ହେଉଛି।