ବ୍ରାଉନ୍ ସୁଗାର କାରବାର ଉପରେ ବଡ଼ ଧରଣର ଚଢ଼ଉ କରିଛି ପାରାଦ୍ୱୀପ ଅବକାରୀ ବିଭାଗ। ଚଢ଼ଉ ବେଳେ ଜଣେ ବ୍ରାଉନ୍ ସୁଗାର ବ୍ୟବସାୟୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ୩୨ ଗ୍ରାମ ହେରୋଇନ୍ ଜବତ କରାଯାଇଛି।ଦୀର୍ଘ ଦିନ ଧରି ବ୍ରାଉନ ସୁଗାର କାରବାର ଚଳାଉଥିବା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ପଙ୍କପାଳ ଗ୍ରାମର ସତ୍ୟବ୍ରତ ଦାସଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୩୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିବା ବେଳେ, ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ୨୦ ହଜାର ଟଙ୍କା ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସତ୍ୟବ୍ରତ ଦାସ ଦୀର୍ଘ ଦିନ ଧରି ଆଖପାଖ ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ କରୁଥିବା ନେଇ ପାରାଦ୍ୱୀପ ଅବକାରୀ ଥାନାକୁ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ତାଙ୍କ ଉପରେ ଗୋପନରେ ନଜର ରଖିଥିଲା।
ଅପରେସନ୍କୁ ସଫଳ କରିବା ପାଇଁ ଅଧିକାରୀମାନେ ଫିଲ୍ମ ଷ୍ଟାଇଲରେ ଗ୍ରାହକ ବେଶ ଧାରଣ କରି ଅଭିଯୁକ୍ତଙ୍କ ସହ ଯୋଗାଯୋଗ କରିଥିଲେ। ବ୍ରାଉନ ସୁଗାର ବିକ୍ରି ପାଇଁ ସତ୍ୟବ୍ରତ ନିର୍ଦ୍ଦିଷ୍ଟ ସ୍ଥାନକୁ ଆସିବା ମାତ୍ରେ, ପୂର୍ବରୁ ଛକି ବସିଥିବା ଟିମ୍ ଚାରିଆଡୁ ଘେରି ତାଙ୍କୁ ଧରିଥିଲା। ତଲାସି ସମୟରେ ତାଙ୍କ ନିକଟରୁ ୩୨ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଥିଲା।
ଗିରଫ ପରେ ଅଭିଯୁକ୍ତଙ୍କୁ କୁଜଙ୍ଗ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ହାଜର କରାଯାଇଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ଏବେ ସବୁଠାରୁ ବଡ଼ ପ୍ରଶ୍ନ ହେଲା, ଏହି ବ୍ରାଉନ ସୁଗାର କେଉଁଠୁ ଆସୁଥିଲା, କାହା ପାଖକୁ ଯାଉଥିଲା? ଏହା ପଛରେ କୌଣସି ବଡ଼ ନିଶା ସିଣ୍ଡିକେଟ ହାତ ଅଛି କି? ସତ୍ୟବ୍ରତ କେବଳ ଜଣେ ବ୍ୟବସାୟୀ, ନା ପଛରେ ରହିଛି ବଡ଼ ନେଟୱର୍କ? ଏହି ସମସ୍ତ ଦିଗକୁ ନେଇ ଅବକାରୀ ବିଭାଗ ତଦନ୍ତକୁ ଆହୁରି ଜୋରଦାର କରିଛି। ଆଗାମୀ ଦିନରେ ଏହି ମାମଲାରେ ଆଉ କିଛି ବଡ଼ ଖୁଲାସା ହୋଇପାରେ ବୋଲି ଆଶା କରାଯାଉଛି।