
ପାରାଦ୍ୱୀପର ବୃହତ ବ୍ୟବସାୟୀ ସଂଘ ପାରାଦ୍ୱୀପ ପୋର୍ଟ ବଣିକ ସଂଘର ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ଉଭୟ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବା ବେଳେ, ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଗତ ଅଗଷ୍ଟ ୧୫ ତାରିଖରେ ସାଧାରଣ ବୈଠକ ସମୟରେ ହୋଇଥିବା ଗଣ୍ଡଗୋଳକୁ ନେଇ ଦୁଇ ଦିନ ତଳେ ବଣିକ ସଂଘର କର୍ମକର୍ତ୍ତାମାନେ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଥିଲେ। ତେବେ ଆଜି ଅପର ଗୋଷ୍ଠୀ ପକ୍ଷରୁ କରାଯାଇଛି ସାଙ୍ଘାତିକ ଅଭିଯୋଗ।
ଦୁଇ ବର୍ଷର ହିସାବ ମାଗିବାରୁ ସଂଘର କର୍ମକର୍ତ୍ତାମାନେ ଦୁର୍ବ୍ୟବହାର କରିବା ସହ ସେମାନଙ୍କୁ ‘ବହିଷ୍କୃତ ବ୍ୟବସାୟୀ’ ବୋଲି କହିଥିବା ଅଭିଯୋଗ ହୋଇଛି। ଏଥିସହ ପୋଲିସ ପ୍ରଶାସନ ମଧ୍ୟ ଏହି ମାମଲାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ସବୁଠାରୁ ବଡ଼ ଅଭିଯୋଗ ହେଉଛି, ବଣିକ ସଂଘ କମିଟି ପକ୍ଷରୁ ପ୍ରଥମେ ଦିଆଯାଇଥିବା ଏତଲାରେ ନାଁ ନଥିବା ପୂର୍ବତନ ସଭାପତି କ୍ଷୀରୋଦ ସ୍ୱାଇଁଙ୍କୁ ଦୀର୍ଘ ୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଥାନାରେ ବସାଇ ରଖାଯାଇଥିବା ଅଭିଯୋଗ ହୋଇଛି। ପରେ ସେହି ଏତଲାରେ ସମାନ ତାରିଖ ଓ ସମାନ ଚିଠି ନମ୍ବରରେ କ୍ଷୀରୋଦ ସ୍ୱାଇଁଙ୍କ ନାଁ ଯୋଡ଼ାଯାଇଥିବା ଦାବି କରିଛନ୍ତି ବ୍ୟବସାୟୀମାନେ।
ଅନ୍ୟପକ୍ଷରେ ବ୍ୟବସାୟୀମାନେ ସଂଘରେ ନିର୍ବାଚନ ଦାବି କରୁଥିବା ବେଳେ ବର୍ତ୍ତମାନର କର୍ମକର୍ତ୍ତା ନିର୍ବାଚନ କରାଇ ନଦେଇ ସଂଘର ଅର୍ଥ ଆତ୍ମସାତ କରୁଥିବା ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ତେବେ ଉଭୟ ପକ୍ଷର ଏତଲାକୁ ଆଧାର କରି ପୋଲିସ କେସ୍ ଦାୟର କରିଥିବା ବେଳେ, କର୍ମକର୍ତ୍ତାମାନଙ୍କୁ ଘଣ୍ଟ ଘୋଡ଼ାଯାଉଥିବା ଅଭିଯୋଗ ଆଣିଛନ୍ତି ଅପର ଗୋଷ୍ଠୀ। ଏହି ଘଟଣାକୁ ନେଇ ଖୁବଶୀଘ୍ର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବେ ବୋଲି ବ୍ୟବସାୟୀମାନେ କହିଛନ୍ତି।