ଦିଲ୍ଲୀରେ ଶିହରଣ: ଆଇଆଇଟି ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା, ୪ ସ୍ତରୀୟ ସୁରକ୍ଷାକୁ ଚ୍ୟାଲେଞ୍ଜ କଲା ପୂର୍ବତନ ଚାକର

ଦେଶର ରାଜଧାନୀ ଦିଲ୍ଲୀରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ପୂର୍ବତନ ଘରୋଇ ସହାୟକର କ୍ରୁରତା ଓ ପ୍ରତିଶୋଧ ପରାୟଣ ମନୋଭାବ ଯୋଗୁଁ ଜଣେ ମେଧାବୀ ଆଇଆଇଟି ସ୍ନାତକ ତଥା ୟୁପିଏସସି ଆଶାୟୀ ଛାତ୍ରୀଙ୍କ ଜୀବନ ଦୀପ ଲିଭିଯାଇଛି। ଅମର କଲୋନୀ ଅଞ୍ଚଳରେ ରହୁଥିବା ଜଣେ ବରିଷ୍ଠ ଆଇଆରଏସ ଅଧିକାରୀଙ୍କ ୨୨ ବର୍ଷୀୟା ଝିଅଙ୍କୁ ତାଙ୍କ ନିଜ ଷ୍ଟଡି ରୁମ୍‌ରେ ଅତି ନିର୍ମମ ଭାବେ ଦୁଷ୍କର୍ମ ଓ ହତ୍ୟା କରାଯାଇଛି। ଅଭିଯୁକ୍ତ ରାହୁଲ ମୀନାକୁ ପୁଲିସ ଦ୍ୱାରକାର ଏକ ହୋଟେଲରୁ ଗିରଫ କରିଛି। ପୋଲିସ ତଦନ୍ତରୁ ଅଭିଯୁକ୍ତର ଅପରାଧିକ ମାନସିକତା ସମ୍ପର୍କରେ କିଛି ଚଞ୍ଚଲ୍ୟକର ତଥ୍ୟ ମିଳିଛି: ରାହୁଲ ପ୍ରାୟ ଆଠ ମାସ ଧରି ସେହି ପରିବାରରେ ଚାକର ଭାବେ କାମ କରୁଥିଲା।

ମାତ୍ର ଟଙ୍କା ହେରଫେର ଅଭିଯୋଗରେ ଛଅ ସପ୍ତାହ ପୂର୍ବରୁ ତାକୁ କାମରୁ ବାହାର କରିଦିଆଯାଇଥିଲା, ଯାହାର ପ୍ରତିଶୋଧ ନେବାକୁ ସେ ଯୋଜନା କରିଥିଲା। ଘରର ଚାରି ସ୍ତରୀୟ ସୁରକ୍ଷା ବଳୟକୁ ଭେଦ କରିବା ପାଇଁ ସେ ପୂର୍ବରୁ ଜାଣିଥିବା ଗୁପ୍ତ ତଥ୍ୟକୁ ବ୍ୟବହାର କରିଥିଲା। ଜୋତା ରାକରେ ଲୁଚାଯାଇଥିବା ଅତିରିକ୍ତ ଚାବି ସାହାଯ୍ୟରେ ସେ ଘରେ ପ୍ରବେଶ କରିଥିଲା। ଦିଲ୍ଲୀରେ ଏହି ହତ୍ୟାକାଣ୍ଡ ଭିଆଇବା ପୂର୍ବରୁ ସେ ମଙ୍ଗଳବାର ଦିନ ରାଜସ୍ଥାନର ଅଲୱରରେ ନିଜ ସାଙ୍ଗର ପତ୍ନୀଙ୍କୁ ମଧ୍ୟ ଦୁଷ୍କର୍ମ କରିଥିଲା। ଘରର ସମସ୍ତ ସଦସ୍ୟ ବାହାରକୁ ଯିବା ଏବଂ ଛାତ୍ରୀଜଣକ ଏକାକୀ ପଢ଼ୁଥିବା ସୁଯୋଗ ନେଇ ସେ ମାତ୍ର ୪୧ ମିନିଟ୍ ମଧ୍ୟରେ ଦୁଷ୍କର୍ମ, ହତ୍ୟା ଓ ୭ ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲା। : ହତ୍ୟା କରିବା ପରେ ଲୁଟ୍ କରିବା ଉଦ୍ଦେଶ୍ୟରେ ମୃତ ଛାତ୍ରୀଙ୍କ ଆଙ୍ଗୁଠି ଚିହ୍ନ ବ୍ୟବହାର କରିବାକୁ ମଧ୍ୟ ସେ ସାଂଘାତିକ ପ୍ରୟାସ କରିଥିଲା।ଏହି ଘଟଣା ସାଧାରଣ ଜନତାଙ୍କୁ ଏକ ବଡ଼ ଚେତାବନୀ ଦେଇଛି। ଘରୋଇ ସହାୟକଙ୍କୁ ନିଯୁକ୍ତି ଦେବା ପୂର୍ବରୁ ପୋଲିସ ଭେରିଫିକେସନ୍ ଏବଂ ଘରର ସୁରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ପ୍ରତି ଅତ୍ୟଧିକ ସଚେତନ ରହିବା ଜରୁରୀ। ଏହି ଲୋମହର୍ଷଣକାରୀ କାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି ହେଉଛି।