ପୁନର୍ଜନ୍ମ ହେଲେ କୋଟିଆରେ ଜନ୍ମ ନେବି,କୋରାପୁଟରେ ରାଜସ୍ୱ ମନ୍ତ୍ରୀଙ୍କ ଭାବପ୍ରବଣ କଥା|ସୀମାନ୍ତ ଅଞ୍ଚଳ କୋଟିଆରେ ଓଡ଼ିଶା ସରକାରଙ୍କ ଗୁରୁତ୍ୱକୁ ପୁନର୍ବାର ସ୍ପଷ୍ଟ କରିଛି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଗସ୍ତ। ଉଭୟ ମନ୍ତ୍ରୀଙ୍କ କୋଟିଆ ଆଗମନକୁ ନେଇ ସମଗ୍ର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା। ଗଞ୍ଜେଇପଦର ଗ୍ରାମ ନିକଟରୁ ସ୍ଥାନୀୟ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ। ସେଠାରୁ ପାରମ୍ପରିକ ସଂକୀର୍ତ୍ତନ, ଘଣ୍ଟ, ମୃଦଙ୍ଗ ଓ କଳସ ଯାତ୍ରା ମାଧ୍ୟମରେ ମନ୍ତ୍ରୀମାନେ କୋଟିଆ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ। ପ୍ରାୟ ଏକ କିଲୋମିଟର ପଦଯାତ୍ରା ସମୟରେ ରାସ୍ତାର ଦୁଇପାର୍ଶ୍ୱରେ ଶତାଧିକ ଲୋକ ଉପସ୍ଥିତ ରହି ସ୍ୱାଗତ ମଧ୍ୟ ଜଣାଇଥିଲେ। ପ୍ରଥମେ ଜଗନ୍ନାଥ ମନ୍ଦିରରେ ପହଞ୍ଚି ଦୁଇ ମନ୍ତ୍ରୀ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରିଥିଲେ।ଏହାପରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚନା କରାଯାଇ ସୁଭଦ୍ରା ମାଙ୍କ ରଥ ଚକ ପ୍ରତିଷ୍ଠା କରାଯାଇଥିଲା। ଧାର୍ମିକ ପରିବେଶ ମଧ୍ୟରେ ଏହି କାର୍ଯ୍ୟକ୍ରମ ଲୋକଙ୍କ ମନରେ ବିଶେଷ ଉତ୍ସାହ ସୃଷ୍ଟି କରିଥିଲା।
ପରେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ସଭାରେ ଯୋଗଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ ଯେ, “ଆଗାମୀ ଜନ୍ମରେ ମୋର ପୁନର୍ଜନ୍ମ ହେଲେ କୋରାପୁଟ ତଥା କୋଟିଆ ମାଟିରେ ହେଉ।” କୋଟିଆର ସମଗ୍ର ଉନ୍ନତି ପାଇଁ ସରକାର ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା କଥା କହିବା ସହ,ଓଡ଼ିଶାର ଜନଗଣନାରେ କୋଟିଆ ବାସିନ୍ଦା ଶତପ୍ରତିଶତ ସହଯୋଗ କରିଥିବାରୁ ଧନ୍ୟବାଦ ଜଣାଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ।
ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, କୋଟିଆ ଜଗନ୍ନାଥ ମନ୍ଦିରର ଉନ୍ନତିକରଣ ସହ କୁନ୍ଦୁଲିରୁ ଦେଓମାଳି ଓ କୋଟିଆ ପର୍ଯ୍ୟନ୍ତ ରାସ୍ତାକୁ ସାଢ଼େ ସାତ ମିଟର ପ୍ରଶସ୍ତ କରାଯିବ। ଏବଂ ସମସ୍ତ ପ୍ରକାର ଉନ୍ନତି କରାଯିବ ବୋଲି ନିଜର ମତ ପ୍ରକାଶ କରିଛନ୍ତି। ଏହାପରେ ନୂତନ ଜଙ୍ଗଲ ଜମି ପଟ୍ଟା,ନୂତନ ସୁଭଦ୍ରା ଯୋଜନା ହିତାଧିକାରୀଙ୍କୁ ସହାୟତା, ଓ ନୂତନ ଭତ୍ତା ବଣ୍ଟନ କରିଥିଲେ।। ଅଞ୍ଚଳର ସମସ୍ତ ପ୍ରକାର ଉନ୍ନତି ପାଇଁ ସରକାର କାର୍ଯ୍ୟଯୋଜନା ନେଇଛନ୍ତି ବୋଲି ମଧ୍ୟ ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ପୁରୀ ଜଗନ୍ନାଥ ମନ୍ଦିରର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, କୋରାପୁଟ ବିଧାୟକ ରଘୁରାମ ମାଛ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଜିଲ୍ଲାପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ, ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି ଓ ସୁନାବେଡା ପୌରାଧ୍ୟକ୍ଷ ଡ଼.ରାଜେନ୍ଦ୍ର ପାତ୍ର ଉପସ୍ଥିତ ଥିଲେ। ପରେ ଦୁଇ ମନ୍ତ୍ରୀ କୋରାପୁଟ ସହରରେ ଦାଣ୍ଡି ମାର୍ଚ୍ଚରେ ଯୋଗଦେଇ “କଫି ସେଲଫି ପଏଣ୍ଟ” ଶୁଭାରମ୍ଭ କରିଥିଲେ ଏବଂ ତିନୋଟି ପ୍ରମୁଖ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।କୋଟିଆ ଭଳି ସୀମାନ୍ତ ଅଞ୍ଚଳରେ ଦୁଇ ମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନୂତନ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇଛି।