
ଦ୍ୱାଦଶ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା କଳିଙ୍ଗ ହାୟର ସେକେଣ୍ଡାରୀ ସ୍କୁଲର କୃତି ଛାତ୍ରଛାତ୍ରୀଙ୍କୁ ଏକ ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନନ୍ଦନ ଜଣାଯାଇଛି। ଏହି ଅବସରରେ ଅନୁଷ୍ଠାନ ତରଫରୁ ସଫଳ ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ଅନୁଷ୍ଠାନର ଚେୟାରମ୍ୟାନ ଅଲେକଜେଣ୍ଡାର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଏସ ଡି ପି ଓ ଶରତ ଚନ୍ଦ୍ର ପାତ୍ର, ସମ୍ବାଦ ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡା ଓ ଅନ୍ୟାନ୍ୟ ଅତିଥିମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ସଫଳତା ସମ୍ପର୍କରେ ପ୍ରେରଣାଦାୟକ ଉଦବୋଧନ ଦେଇଥିଲେ।
ଚେୟାରମ୍ୟାନ ଅଲେକଜେଣ୍ଡାର ଦାସ କହିଥିଲେ ଯେ ଉନ୍ନତ ମାନର ଶିକ୍ଷାଦାନ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପ୍ରେରଣା ଏବଂ ଛାତ୍ରଛାତ୍ରୀଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଏହି ସଫଳତା ସମ୍ଭବ ହୋଇଛି। ଚଳିତ ବର୍ଷ ପାୟଲ ବେହେରା ୯୭ ପ୍ରତିଶତ ନମ୍ବର ରଖି ସ୍କୁଲ ଟପର ହୋଇଥିବା ବେଳେ ୭ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଅନୁଷ୍ଠାନ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି।ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଖୁସିର ମାହୋଲ ଦେଖାଯାଇଥିଲା ଏବଂ ଅନୁଷ୍ଠାନ ପକ୍ଷରୁ ସଫଳତାର ଉତ୍ସବ ମଧ୍ୟ ପାଳନ କରାଯାଇଥିଲା।