
ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନକୁ ନେଇ ଦୀର୍ଘଦିନ ଧରି ବିବାଦ ଚାଲିଆସୁଛି। ଏବେ ଏହି ପ୍ରସଙ୍ଗରେ ଆହୁରି ସକ୍ରିୟ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟି। ଖବର ଅନୁଯାୟୀ, ଏକ ପ୍ରତିନିଧି ଦଳ ଖୁବଶୀଘ୍ର ଦିଲ୍ଲୀ ଗସ୍ତ କରି କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ଅଧିକାରୀ ଏବଂ ଇସ୍କନର ଶୀର୍ଷ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବ। ଶ୍ରୀମନ୍ଦିର ପରିଚାଳନା କମିଟିର ମତ ସ୍ପଷ୍ଟ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଏକ ଶାସ୍ତ୍ରସମ୍ମତ ପରମ୍ପରା। ଏହା ନିର୍ଦ୍ଧାରିତ ତିଥି, ପଞ୍ଜିକା ଓ ପାରମ୍ପରିକ ନୀତି ଅନୁଯାୟୀ ପାଳନ ହେବା ଆବଶ୍ୟକ। ଅନ୍ୟ କୌଣସି ଦିନରେ ରଥଯାତ୍ରା କରାଗଲେ ସାଧାରଣ ଭକ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇପାରେ ଏବଂ ପ୍ରାଚୀନ ପରମ୍ପରା ପ୍ରଭାବିତ ହୋଇପାରେ।
ଅନ୍ୟପଟେ, ଇସ୍କନ ପକ୍ଷରୁ କୁହାଯାଉଛି ଯେ ସେମାନେ ନିଜସ୍ୱ ଧାର୍ମିକ ପରମ୍ପରା ଓ ବିଶ୍ୱବ୍ୟାପୀ ସଂଗଠନର କାର୍ଯ୍ୟସୂଚୀ ଅନୁଯାୟୀ ରଥଯାତ୍ରା ଆୟୋଜନ କରୁଛନ୍ତି। ତେବେ ଏହି ପ୍ରସଙ୍ଗରେ ଦୁଇ ପକ୍ଷର ମତଭେଦ ଜାରି ରହିଛି। ଏହାପୂର୍ବରୁ ଗଜପତି ମହାରାଜା ମଧ୍ୟ ଶାସ୍ତ୍ରସମ୍ମତ ତିଥିରେ ରଥଯାତ୍ରା ପାଳନ କରିବାକୁ ଆହ୍ୱାନ ଜଣାଇଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ବିଭିନ୍ନ ସେବାୟତ ସଂଗଠନ ଓ ସାମାଜିକ ଅନୁଷ୍ଠାନ ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ପ୍ରକାଶ କରିଛନ୍ତି। ଦିଲ୍ଲୀ ଗସ୍ତ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଶାସ୍ତ୍ରୀୟ ପରମ୍ପରା, ଐତିହ୍ୟ ଏବଂ ଧାର୍ମିକ ଭାବନା ସମ୍ପର୍କିତ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି।
ଏହି ଆଲୋଚନା ପରେ କୌଣସି ସମାଧାନ ବାହାରିବ କି, ନା ବିବାଦ ଆହୁରି ବଢ଼ିବ, ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ। ତେବେ ଏହି ପ୍ରସଙ୍ଗରେ ସମସ୍ତଙ୍କ ଦୃଷ୍ଟି ଏବେ ଦିଲ୍ଲୀ ବୈଠକ ଉପରେ। ସେଠାରେ କ’ଣ ନିଷ୍ପତ୍ତି ହେବ? ଇସ୍କନ କି ନିଜର ଅବସ୍ଥାନ ବଦଳାଇବ? ନା ଶ୍ରୀମନ୍ଦିର ପରିଚାଳନା କମିଟି ପରବର୍ତ୍ତୀ ପଦକ୍ଷେପ ନେବ?