
ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି)ଗୁଡ଼ିକ ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଜାରି କରିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଗତ ୮ ତାରିଖରେ ଅନୁମୋଦନ କରିଥିଲେ । ଏହି ପ୍ରରିପେକ୍ଷୀରେ ଆଜି ରାଜନଗର ବ୍ଲକ ସାନବଡ଼ ଗୋପାଳପୁର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ପକ୍ଷରୁ ଷଷ୍ଠ ତମ ଋଣ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ରାଜନଗର ବ୍ଲକ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ ମ୍ୟାନେଜର ମୁକୁନ୍ଦ କର୍ଣ୍ଣ,ବ୍ରାଞ୍ଚ ହେଡ଼ ଅଭୟ କୁମାର ସାହୁ,ସିନିଅର ମ୍ୟାନେଜର ସଂନ୍ଦୀପ ଚୌଧୁରୀଙ୍କ ସହିତ ସରପଞ୍ଚ ଗୋଲେଖ ସ୍ୱାଇଁ ମଧ୍ୟ ସାମିଲ ଥିଲେ। ପାଖାପାଖି ୩୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଏହି ଶିବିର ମାଧ୍ୟମରେ ତିନି କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ଏହି ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀ ପୂର୍ବରୁ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଜାରି ରଖିଥିଲେ। ଗତ ମଙ୍ଗଳବାର ଏହାକୁ ୨୦୨୫-୨୬ ଓ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଜାରି ରଖିବା ପ୍ରସ୍ତାବକୁ ଅନୁମୋଦନ ମଧ୍ୟ ଦେଇଥିଲେ। ଏହାଦ୍ୱାରା ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ। ଏହି ପଦକ୍ଷେପ ରାଜ୍ୟରେ ମହିଳା ଉଦ୍ୟୋଗୀ ଓ ଲକ୍ଷପତି ଦିଦି ସୃଷ୍ଟି କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତେବେ ସରକାରଙ୍କ ପକ୍ଷରୁ ମହିଳା ମାନଙ୍କୁ ଲକ୍ଷପତି କରାଇବାରେ ସେଣ୍ଟ୍ରାଲ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ ଦାଇତ୍ୱ ନିଭାଇଛି। ଏହି ଋଣ ଶିବିର ମାଧ୍ୟମରେ ମହିଳା ଭାଗୀଦାରି ଜରିଆରେ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଅର୍ଥନୀତି ସୁଦୃଢ ହେବ ବୋଲି ରାଜନଗର ବ୍ଲକ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ଓ ସେଣ୍ଟ୍ରାଲ ବ୍ୟାଙ୍କର ଚିଫ ମ୍ୟାନେଜର ମୁକୁନ୍ଦ କର୍ଣ୍ଣ ମତ ରଖିଥିଲେ।