କଙ୍ଗନାଙ୍କ ଭାଷଣରେ ତଥ୍ୟ ଭୁଲ, ସୋସିଆଲ ମିଡିଆରେ ହଙ୍ଗାମା
ମହିଳା ସଂରକ୍ଷଣ ଚର୍ଚ୍ଚା ମଧ୍ୟରେ ବିଧାନସଭା ସଂଖ୍ୟା ନେଇ ବିବାଦ
ଭୁଲ ଆଂକଡ଼ା ପାଇଁ ଟାର୍ଗେଟରେ କଙ୍ଗନା,ବିରୋଧୀଙ୍କ ତୀବ୍ର ପ୍ରତିକ୍ରିୟା
୧ କହିଲେ, ବାସ୍ତବରେ ୩ ହିମାଚଳ ବିଧାନସଭାର ସତ୍ୟ ଆସିଲା ସାମ୍ନାକୁ

ପୁଣି ବିଗବାଦ ଭିତରକୁ ଟାଣି ହୋଇଛନ୍ତି କଙ୍ଗନା । ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ ହେଉଥିବା ଦେଖରିବାକୁ ମିଳୁଛି । ସତେଯେମିତି ଲାଗୁଛି ବିବାଦର ଅନ୍ୟ ଏକ ନାଁ କଙ୍ଗନା । ସେ ବଲିଉଡ ହେଉ କି ପଲିଟିକ୍ସ, ସବୁବେଳେ ସବୁସମୟରେ କଣ୍ଟ୍ରବସିରେ ରହିଛନ୍ତି କଙ୍ଗନା । ହଁ ଆଜ୍ଞା ନିଜର ଅଧା ଅଧୁରା ଜ୍ଞାନ ସେ ଯେବେ ଯେବେ ବାଣ୍ଟିଛନ୍ତି, ସେତେବେଳେ ସୋସିଆଲ ମିଡିଆରେ ଟ୍ରୋଲ ହୋଇଛନ୍ତି । ସଂସଦରେ ଦେଇଥିବା ତାଙ୍କ ଭାଷଣରେ ତଥ୍ୟ ଭୁଲ ଦେବା ଅଭିଯୋଗକୁ ନେଇ ଏହି ବିବାଦ ଆମ୍ନାକୁ ଆସିଛି ।
ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନର ସାଂସଦ ଲୋକସଭାରେ ନାରୀଶକ୍ତି ବନ୍ଦନ ଅଧିନିୟମ, ଅର୍ଥାତ୍ ମହିଳା ସଂରକ୍ଷଣ ସମ୍ବନ୍ଧୀୟ ୧୩୧ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଆଲୋଚନା ସମୟରେ କଙ୍ଗନା କହିଥିଲେ ଯେ ହିମାଚଳ ପ୍ରଦେଶ ବିଧାନସଭାରେ କେବଳ ଜଣେ ମହିଳା ବିଧାୟକ ଅଛନ୍ତି । କିନ୍ତୁ ଏହି ଦାବି ପରେ ତଥ୍ୟ ଭୁଲ ବୋଲି ପ୍ରମାଣିତ ହେବାରୁ ବିବାଦ ଆରମ୍ଭ ହୋଇଛି । ବାସ୍ତବରେ ହିମାଚଳ ପ୍ରଦେଶ ବିଧାନସଭାରେ ୩ ଜଣ ମହିଳା ବିଧାୟକ ଅଛନ୍ତି, ଯେଉଁଥିରେ ଦୁଇଜଣ ମହିଳା ବିଧାୟକ କଂଗ୍ରେସର ରହିଥିବା ବେଳେ, ଜଣେ ମାତ୍ର ବିଜେପିରୁ ନିର୍ବାଚିତ ହୋଇଛନ୍ତି ।
କଙ୍ଗନାଙ୍କ ଏହି ଭାଷଣ ଦୁଇ ଦିନ ପୂର୍ବରୁ ହୋଇଥିଲେ ମଧ୍ୟ, ବର୍ତ୍ତମାନ ସେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଟ୍ରୋଲିଂ ବଢ଼ି ଚାଲିଛି । ବିଭିନ୍ନ ୟୁଜର୍ସ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଉଛନ୍ତି ଏବଂ ସାଂସଦଙ୍କ ତଥ୍ୟ ଜ୍ଞାନ ଉପରେ ପ୍ରଶ୍ନ ଉଠାଉଛନ୍ତି । ଏହା ସହିତ ରାଜନୈତିକ ପ୍ରତିକ୍ରିୟା ମଧ୍ୟ ଆସିଛି । ହିମାଚଳ ପ୍ରଦେଶର ପୂର୍ବମନ୍ତ୍ରୀ ବିକ୍ରମାଦିତ୍ୟ ସିଂ କଙ୍ଗନାଙ୍କୁ କଡା ଭାବରେ ସମାଲୋଚନା କରି କହିଛନ୍ତି ଯେ, ଯିଏ ନିଜ ରାଜ୍ୟର ବିଧାନସଭାରେ କେତେଜଣ ମହିଳା ବିଧାୟକ ଅଛନ୍ତି ତାହା ଜାଣିନାହାନ୍ତି, ସେ କିପରି ମହିଳା ସଶକ୍ତିକରଣ ବିଷୟରେ କଥା କହିପାରିବେ। ତାଙ୍କ ଏହି ମତାମତ ରାଜନୀତିକ ମହଳରେ ଆଲୋଚନାକୁ ଆହୁରି ତେଜ୍ କରିଦେଇଛି।

ସୋସିଆଲ ମିଡିଆରେ ମଧ୍ୟ ଅନେକ ଲୋକ ମଣ୍ଡି ଲୋକସଭା କ୍ଷେତ୍ରର ମତଦାତାଙ୍କୁ ନିଶାନା କରି ପ୍ରଶ୍ନ ଉଠାଇଛନ୍ତି । କିଛି ୟୁଜର୍ସ ଲେଖିଛନ୍ତି ଯେ, ଯେଉଁ ସାଂସଦଙ୍କୁ ନିଜ ରାଜ୍ୟର ମୌଳିକ ତଥ୍ୟ ଜଣାନାହିଁ, ସେମାନଙ୍କ ଉପରେ ଏତେ ବଡ଼ ଦାୟିତ୍ୱ ରଖିବା ଦୁଃଖଦ ଘଟଣା । ତଥାପି ନିଜ ଭାଷଣରେ କଙ୍ଗନା ମହିଳା ସଂରକ୍ଷଣ ବିଷୟରେ କିଛି ଆଂକଡ଼ା ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ ଦେଶର ବିଭିନ୍ନ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ୮ରୁ ୯ ପ୍ରତିଶତ ମଧ୍ୟରେ ରହିଛି, ଯେଉଁଠାରେ ଲୋକସଭାରେ ଏହା ପ୍ରାୟ ୧୩ ପ୍ରତିଶତ। ସେ ଏହାକୁ ବୈଶ୍ୱିକ ମାନକ ଠାରୁ କମ୍ ବୋଲି କହିଥିଲେ ।

ଏହି ସମୟରେ ସେ ରାଜନୈତିକ ଟିପ୍ପଣୀ ମଧ୍ୟ କରିଥିଲେ ଓ ବିରୋଧୀ ଦଳକୁ ନିଶାନା କରି କହିଥିଲେ ଯେ, ଯେତେବେଳେ କିଛି ଭଲ କାମ ହେବାକୁ ଯାଉଥାଏ, ସେତେବେଳେ ବିରୋଧୀ ଶିବିରରେ ଅଶାନ୍ତି ସୃଷ୍ଟି ହୁଏ । ସମୁଦାୟ ଘଟଣାକୁ ନେଇ ଏବେ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଛି ଓ ସୋସିଆଲ ମିଡିଆରେ ମଧ୍ୟ ଏହା ନେଇ ତୀବ୍ର ପ୍ରତିକ୍ରିୟା ଚାଲିଛି ।