
ଶ୍ରୀକ୍ଷେତ୍ର ପୁରୀର ଶ୍ରୀମନ୍ଦିରରେ ଆଜି ଏକ ଅପ୍ରତ୍ୟାଶିତ ଘଟଣା ପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ମନ୍ଦିରର ଭିତର କାଠ ଅଞ୍ଚଳରେ ଜଣେ ବ୍ୟକ୍ତି କଂଖାର ପକାଇଥିବା ଜଣାପଡ଼ିବା ପରେ ପରମ୍ପରା ଓ ବିଧିବିଧାନ ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କର ବଡ଼ ମହାସ୍ନାନ ନୀତି ସମ୍ପନ୍ନ କରାଯାଇଥିଲା। ଏହି ନୀତି ସମୟରେ ସର୍ବସାଧାରଣ ଦର୍ଶନକୁ ପ୍ରାୟ ଏକ ଘଣ୍ଟା ପାଇଁ ବନ୍ଦ ରଖାଯାଇଥିଲା।
ସୂଚନା ଅନୁସାରେ, ମନ୍ଦିର ଭିତର କାଠରେ ଜଣେ ବ୍ୟକ୍ତି କଂଖାର ପକାଇଥିବା ଘଟଣା ସେବାୟତ ଓ ମନ୍ଦିର ପ୍ରଶାସନଙ୍କ ନଜରକୁ ଆସିଥିଲା। ଏହାପରେ ତୁରନ୍ତ ପରିସ୍ଥିତିର ସମୀକ୍ଷା କରାଯାଇ ପାରମ୍ପରିକ ନୀତି ଅନୁଯାୟୀ ଶୋଧନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀମନ୍ଦିରର ନିୟମାବଳୀ ଅନୁସାରେ ଏପରି ଘଟଣା ଘଟିଲେ ସୌଧ କାର୍ଯ୍ୟ ଓ ବଡ଼ ମହାସ୍ନାନ ନୀତି ସମ୍ପାଦନ କରାଯାଏ।ପରମ୍ପରା ମୁତାବକ ପ୍ରଥମେ ଚୂନପାଣି ପଡ଼ି ସମ୍ପୃକ୍ତ ସ୍ଥାନକୁ ସୌଧ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ନୀତି ଆରମ୍ଭ ହୋଇଥିଲା। ନୀତିକାନ୍ତି ସମୟରେ ମନ୍ଦିର ଭିତରେ ଆବଶ୍ୟକୀୟ ଧାର୍ମିକ ପ୍ରକ୍ରିୟା ସମ୍ପନ୍ନ କରାଯାଇଥିଲା। ଏହି କାରଣରୁ ସାଧାରଣ ଭକ୍ତମାନଙ୍କ ପାଇଁ ଦର୍ଶନ ସାମୟିକ ଭାବେ ବନ୍ଦ ରହିଥିଲା।
ଦର୍ଶନ ବନ୍ଦ ହେବା ଖବର ପ୍ରଚାର ପାଇବା ପରେ ମନ୍ଦିରକୁ ଆସିଥିବା ଶତାଧିକ ଭକ୍ତ ବ୍ୟାରିକେଡ୍ ନିକଟରେ ଅପେକ୍ଷା କରିଥିଲେ। ଯଦିଓ ଦର୍ଶନ କିଛି ସମୟ ପାଇଁ ବନ୍ଦ ରହିଥିଲା, ତଥାପି ଭକ୍ତମାନେ ଧୈର୍ଯ୍ୟର ସହ ନୀତି ଶେଷ ହେବାକୁ ଅପେକ୍ଷା କରିଥିଲେ। ଅନେକ ଭକ୍ତ କହିଥିଲେ ଯେ ମହାପ୍ରଭୁଙ୍କ ନୀତି ଓ ପରମ୍ପରା ପ୍ରତି ସେମାନଙ୍କର ପୂର୍ଣ୍ଣ ସମ୍ମାନ ରହିଛି ଏବଂ ଏହା ସମ୍ପନ୍ନ ହେବା ପରେ ଦର୍ଶନ କରିବା ପାଇଁ ସେମାନେ ଅପେକ୍ଷା କରିଥିଲେ।ବଡ଼ ମହାସ୍ନାନ ନୀତି ଓ ସୌଧ କାର୍ଯ୍ୟ ସଫଳତାର ସହ ଶେଷ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସାଧାରଣ ଦର୍ଶନ ପୁନର୍ବାର ଆରମ୍ଭ କରାଯାଇଥିଲା। ଏହାପରେ ମନ୍ଦିର ଭିତରେ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ହୋଇଥିଲା ଏବଂ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
ଶ୍ରୀମନ୍ଦିରରେ ପାଳନ ହେଉଥିବା ବିଭିନ୍ନ ନୀତି ଓ ପରମ୍ପରା ଶତାବ୍ଦୀ ଧରି ଚାଲିଆସୁଛି। ମନ୍ଦିରର ପବିତ୍ରତା ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ରକ୍ଷା ପାଇଁ ଏପରି ପରିସ୍ଥିତିରେ ନିର୍ଦ୍ଦିଷ୍ଟ ବିଧିବିଧାନ ଅନୁଯାୟୀ ଶୋଧନ ଓ ମହାସ୍ନାନ ନୀତି ପାଳନ କରାଯାଇଥାଏ। ଆଜିର ଘଟଣା ପରେ ମଧ୍ୟ ସମସ୍ତ ନୀତିକାନ୍ତି ସଠିକ୍ ଭାବେ ସମ୍ପନ୍ନ ହୋଇଥିବା ବେଳେ ବର୍ତ୍ତମାନ ଶ୍ରୀମନ୍ଦିରରେ ଦର୍ଶନ ଓ ଅନ୍ୟାନ୍ୟ ସେବାକାର୍ଯ୍ୟ ସ୍ୱାଭାବିକ ଭାବରେ ଚାଲିଥିବା ଜଣାପଡ଼ିଛି।