ଲଘୁଚାପ ଜନିତ ଲଗାଣ ବର୍ଷାରେ ସାରା ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହାରି ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଚକ୍ରୋଡା ପଞ୍ଚାୟତର ଅନ୍ତେ।ଲୋ ଗ୍ରାମରେ ଡ୍ରେନେଜ ବିଭାଗର ଅବହେଳା ଯୋଗୁଁ ପରିସ୍ଥିତି ସଙ୍କଟଜନକ ହୋଇପଡ଼ିଛି। ଚକ୍ରୋଡା–ମଡରପୁର ଡ୍ରେନେଜ ଗୋବରୀ ନଦୀରେ ମିଶିଛି,ସେତୁ ନିର୍ମାଣ କାମ ପ୍ରାୟ ଚାରି ମାସ ଧରି ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ ଲଗାଣ ବର୍ଷାରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହୋଇ ଗ୍ରାମବାସୀଙ୍କୁ ନାହିଁନଥିବା ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି।
ଡ୍ରେନେଜ ଅନ୍ତୋରା ଗ୍ରାମରେ ସେତୁ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ଦୀର୍ଘ ଚାରି ମାସ ହେବ କାମ ବନ୍ଦ ରହିଛି। ଠିକାଦାର କାମକୁ ଅଧାରେ ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଏହାଫଳରେ ବର୍ଷା ପାଣିର ସ୍ୱାଭାବିକ ନିଷ୍କାସନ ବାଧାପ୍ରାପ୍ତ ହୋଇ ଗତ ଚାରି ଦିନର ଲଗାଣ ବର୍ଷାରେ ଗ୍ରାମ ନିକଟରେ ଘାଇ ସୃଷ୍ଟି ହୋଇଛି।ଏହାର ପ୍ରଭାବରେ ଗ୍ରାମର ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ ଦିନ କାଟୁଛନ୍ତି। ଅନେକ ଘରେ ବର୍ଷା ପାଣି ପଶିଯାଇଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।
ଜରୁରୀକାଳୀନ ସେବା ବାଧାପ୍ରାପ୍ତ ହେବା ସହ ପିଇବା ପାଣିର ସମସ୍ୟା ମଧ୍ୟ ଦେଖାଦେଇଛି।ଅନ୍ୟପକ୍ଷରେ, ଚାଷଜମିରେ ବର୍ଷା ପାଣି ଜମି ରହିବାରୁ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ ତୁରନ୍ତ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ସହ ଜଳ ନିଷ୍କାସନର ସ୍ଥାୟୀ ବ୍ୟବସ୍ଥା କରିବାକୁ ଡ୍ରେନେଜ ବିଭାଗ ନିକଟରେ ଗ୍ରାମବାସୀ ଦାବି କରିଛନ୍ତି।