ରାଜ୍ୟରେ ଅସୁରକ୍ଷିତ ମହିଳା, ଦିନ ଦ୍ୱିପହରେ ବି ପୁଲିସ ଫେଲ…

ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ଢେଙ୍କାନାଳ, ଜିଲ୍ଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବ୍ୟବସ୍ଥା | ରାଜ୍ୟରେ ଲଗାତାର ମହିଳାଙ୍କ ଉପେର ଯେଉଁଭଳି ଆକ୍ରମଣ କରାଯାଉଛି ସେଥିରୁ ବାଦ ପଡିନି ଢେଙ୍କାନାଳ ଜିଲା | ମହିଳାଙ୍କୁ ଟେକି ନେଇ ନଦୀ ପଠାରେ ଦୁଷ୍କର୍ମ କଲେ ଆଉ ଶେଷରେ ପ୍ରମାଣ ଲୁଚାଇବାକୁ ମହିଳାଙ୍କ ମୁହଁକୁ ହାଣି ପକାଇଲେ ଦୁର୍ବୃତ୍ତ , ହେଲେ ଏହି ଘଟଣାରେ ଏଯାଏଁ ପୋଲିସ କୁ ମିଳିପାରିନି ସୁରାଗ , ଅଭିଯୁକ୍ତ ମାନଙ୍କୁ ଏଯାଏଁ ଖୋଜି ପାଉନି ପୋଲିସ | ତଦନ୍ତର ଦିଗ କୁଆଡେ , କେଉଁଠୁ ଆସିଥିଲେ ଅପରାଧୀ ଆଉ ଅପରାଧ ଘଟାଇ କେଉଁପଟେ ଚାଲିଗଲେ ଖୋଜି ପାଉନି ପୋଲିସ , କାମ କରୁନି କି ପୋଲିସ ର ମାଷ୍ଟର ପ୍ଲାନ ? ନା ଜାଣିଶୁଣି ଚୁପ ବସିଛି ପୋଲିସ ବିଭାଗ ?

ଢେଙ୍କାନାଳ ଜିଲ୍ଲା ଭାପୁର ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କୁ ନୃଶଂସ ଭାବେ ଯୌନ ନିର୍ଯାତନା ଦେବା ପରେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ଓ ଜନଅସନ୍ତୋଷ ସୃଷ୍ଟି କରିଛି। ବର୍ତ୍ତମାନ ପୀଡ଼ିତା କଟକ ଏସସିବି ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।ସୂଚନା ଅନୁଯାୟୀ, ଗତ ସୋମବାର ଦିନ ମହିଳା ଜଣକ ସାପୁଆ ନଦୀକୁ ଗାଧୋଇବାକୁ ଯାଇଥିବା ସମୟରେ ଜଣେ ଦୁର୍ବୃତ୍ତ ତାଙ୍କୁ କାବୁ କରି ନେଇଥିଲା। ପୋଲିସ ଓ ପରିବାର ଲୋକଙ୍କ ସୂଚନା ମୁତାବକ, ଅଭିଯୁକ୍ତ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲା। ପରିଚୟ ଲୁଚାଇବା ଏବଂ ମୃତ୍ୟୁ ନିଶ୍ଚିତ କରିବା ପାଇଁ ଦୁର୍ବୃତ୍ତ ଜଣକ ମହିଳାଙ୍କ ମୁହଁକୁ ଧାରୁଆ ଅସ୍ତ୍ରରେ ହାଣି ବିକୃତ କରିଦେଇ ଫେରାର ହୋଇଯାଇଛି। ବହୁ ସମୟ ଧରି ମହିଳା ଜଣକ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପରେ ଜଣେ ଗୋରୁ ଚରାଳିଙ୍କ ସହାୟତାରେ ମହିଳାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପ୍ରଶାସନର ବିକଳ ଚିତ୍ର ମଧ୍ୟ ସାମ୍ନାକୁ ଆସିଛି। ପୀଡ଼ିତାଙ୍କ ଅବସ୍ଥା ଅତ୍ୟନ୍ତ ସଂକଟାପନ୍ନ ଥିଲେ ସୁଦ୍ଧା ଘଟଣାସ୍ଥଳକୁ କୌଣସି ଆମ୍ବୁଲାନ୍ସ ପହଞ୍ଚି ନଥିଲା। ଶେଷରେ ସ୍ଥାନୀୟ ଲୋକେ ଏକ ହାତ ଟ୍ରଲି ସାହାଯ୍ୟରେ ପୀଡ଼ିତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ସବୁଠାରୁ ଲଜ୍ଜାର ବିଷୟ ଯେ ଏଭଳି ଛାତି ଥରା ଘଟଣା ଘଟିବା ପରେ ସହଯୋଗ ପାଇଁ 108 ଆଂବ୍ୟୁଲନସ କୁ ଫୋନ କରିଥିଲେ ମଧ୍ୟ ସଠିକ ସମୟରେ ପହଂଚି ନଥିଲା ଜରୁରୀ ସେବା 108 | ଶେଷରେ ମହିଳାଙ୍କୁ ଟ୍ରଲି ଯୋଗେ ମେଡିକାଲ ନେବାକୁ ପଡିଥିଲା |

ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ସୂଚନା ଦେଇଛି ଯେ ଗତ ଏପ୍ରିଲ ୨୮ ତାରିଖ ବିଳମ୍ବିତ ରାତିରେ ପୀଡ଼ିତାଙ୍କ ମା’ ଏତଲା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୁକ୍ତ ଚିହ୍ନଟ ହୋଇନାହାନ୍ତି। ପୀଡ଼ିତାଙ୍କ ଅବସ୍ଥା ସ୍ଥିର ହେବା ପରେ ତାଙ୍କର ବୟାନ ରେକର୍ଡ କରାଯିବ। ବର୍ତ୍ତମାନ ସାରା ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ, ଅପରାଧୀକୁ ତୁରନ୍ତ ଗିରଫ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି। ତେବେ ଏହି ଘଟଣା ଘଟିବାର 4 ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ର ହାତ ଖାଲି ପଡିଛି | ଢେଙ୍କାନାଳ ପୋଲିସ ର ପରିବା ପଣିଆ କୁ ନେଇ ଉଠିଛି ପ୍ରଶ୍ନବାଚୀ | କେମିତି ତଦନ୍ତ କରୁଛି ପୋଲିସ , କେମିତି ଅପରାଧୀଙ୍କ ଠିକଣା ଖୋଜିଲ ପାଉନି ପୋଲିସ | ଅତ୍ୟାଧୁନିକ ଜ୍ଞାନକୌଶଳ ଥାଇ ମଧ୍ୟ କାହିଁକି ପୋଲିସ ହାତ ଖାଲି ପଡିଛି , ଯାହାକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଜନ ଅସନ୍ତୋଷ ଦେଖିବାକୁ ମିଳିଛି | ତେବେ ଆଗକୁ ପୋଲିସ ଏହି ଘଟଣାରେ ଅପରାଧୀ ମାନଙ୍କୁ ଧରିବାରେ କେତେ ସକ୍ଷମ ହେଉଛି ତାହା ଦେଖିବାକୁ ବାକି ରହିଲା