ରଥ ନିର୍ମାଣ ଅଗ୍ରଗତି: ତିନି ରଥରେ ଠେକେରା ବାଡ଼, କନା ପକା ଓ ରଙ୍ଗ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ

ତିନି ରଥରେ ଠେକେରା ବାଡ଼ ବୁଲିଲା
ମହାରଣା ଓ ଭୋଇ ସେବକମାନେ ମିଳିତ ଭାବେ ତିନି ରଥରେ ଠେକେରା ବାଡ଼ ବୁଲାଇବା କାର୍ଯ୍ୟ ଶେଷ କରିଛନ୍ତି। ବର୍ତ୍ତମାନ ଠେକେରା ବାଡ଼ରେ ଅଷ୍ଟସଖୀ ଫିଟିଂ କାର୍ଯ୍ୟ ବାକି ରହିଛି।

କନକମୁଣ୍ଡିରେ ପିତଳ ସଜ ସମ୍ପୂର୍ଣ୍ଣ
ପିତଳ ସଜ କାରିଗର ଓ କୋଠ ସୁଆଁସିଆ ସେବକମାନେ ତିନି ରଥର ବେଦୀ ସିଂହାସନ ଉପର କନକମୁଣ୍ଡିରେ ବର୍ଷାରୁ ସୁରକ୍ଷା ପାଇଁ ପିତଳ ଚଦର ଆବରଣ ଫିଟିଂ କାର୍ଯ୍ୟ ସଫଳତାର ସହ ଶେଷ କରିଛନ୍ତି।

ଦରଜୀ ସେବକଙ୍କ କାର୍ଯ୍ୟ ଶେଷ ପର୍ଯ୍ୟାୟରେ
ବତା କାନା, ଦ୍ୱାର ବେଢ଼ା, ଚନ୍ଦ୍ରଶାଳୀ, ଘେର କନା, ପୋଟଳ କନା ଓ ସାରଥୀଙ୍କ ପୋଷାକ ସିଲେଇ କାର୍ଯ୍ୟ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଏଥିସହ ମହାପ୍ରଭୁଙ୍କ ମଥାପଟି, ବାଘପଟି, ମୁଠି ବେଣ୍ଟ ଓ ନଳୀଭୁଜ ସିଲେଇ କାର୍ଯ୍ୟ ଜାରି ରହିଛି।

ରଥରେ କନା ପକା କାର୍ଯ୍ୟ ଆରମ୍ଭ
କୋଠ ସୁଆଁସିଆ ସେବକମାନେ ପ୍ରଥମେ ତାଳଧ୍ୱଜ ରଥରେ ଏବଂ ପରେ ନନ୍ଦିଘୋଷ ଓ ଦର୍ପଦଳନ ରଥର ଦ୍ୱାର ବେଢ଼ା ଚନ୍ଦ୍ରଶାଳୀରେ କନା ପକା କାର୍ଯ୍ୟ ଶେଷ କରିଛନ୍ତି।

ଚିତ୍ରକାରଙ୍କ ରଙ୍ଗ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ
ତିନି ରଥର ବାହ୍ୟ ଅଂଶର ରଙ୍ଗ କାର୍ଯ୍ୟ ପ୍ରାୟ ଶେଷ ହୋଇଛି। ତିନି ରଥର ଘୋଡ଼ାଙ୍କ ରଙ୍ଗ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ ସାରଥୀଙ୍କ ରଙ୍ଗ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି।

କମାରଶାଳରେ ଉପକରଣ ପ୍ରସ୍ତୁତ
ଦୋଳବେଦୀ ଅସ୍ଥାୟୀ କମାରଶାଳରେ ଓଝା କମାର ସେବକମାନେ କୋଠ ସୁଆଁସିଆ ସେବକଙ୍କ ପାଇଁ ରଥରେ କନା ପକା କାର୍ଯ୍ୟରେ ବ୍ୟବହୃତ ହାତୁଡ଼ି ଓ ଛୁରୀ ପ୍ରସ୍ତୁତ କରି ଯୋଗାଇ ଦେଇଛନ୍ତି।