ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ: ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା

ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ଆଜି ଏକାସାଙ୍ଗେ ଆଧିକାରିକ ଭାବେ ପ୍ରକାଶ ପାଇଛି। ବିଜ୍ଞାନ, କଳା, ବାଣିଜ୍ୟ ଏବଂ ଧନ୍ଦାମୂଳକ ସମସ୍ତ ବିଭାଗର ଫଳାଫଳ ଏକକାଳୀନ ଭାବେ ଘୋଷଣା କରାଯାଇଛି। ଦିନ ୧୨ଟା ୩୦ରେ ସିଏଚ୍‌ଏସଇ (Council of Higher Secondary Education) ପକ୍ଷରୁ ଆଧିକାରିକ ଭାବେ ଫଳାଫଳ ଘୋଷଣା କରାଯାଇଥିଲା। ଏହି ସମୟରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କରିଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏହି ଅବସରରେ ଗଣଶିକ୍ଷା ସଚିବ ଏନ୍. ଥିରୁମାଳା ନାଏକ, ସିଏଚ୍‌ଏସଇ ଅଧ୍ୟକ୍ଷ ମୃଣାଳି କାନ୍ତି ଦାସ ଏବଂ ପରୀକ୍ଷା ନିୟନ୍ତ୍ରକ ମଧ୍ୟ ଉପସ୍ଥିତ ଥିଲେ।ଫଳାଫଳ ପ୍ରକାଶ ପରେ ରାଜ୍ୟର ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଅଦ୍ଭୁତ ଉତ୍ସାହ ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି। ଅନେକ ଛାତ୍ରଛାତ୍ରୀ ଘରେ, କଲେଜରେ ଏବଂ ଅନଲାଇନ୍ ମାଧ୍ୟମରେ ରେଜଲ୍ଟ ଯାଞ୍ଚ କରିଥିଲେ। ଫଳ ଦେଖିବା ପରେ କେତେକ ସ୍ଥାନରେ ଆନନ୍ଦର ମାହୋଲ ଦେଖାଯାଇଥିବା ବେଳେ, କେତେକ ଛାତ୍ରଛାତ୍ରୀ ଆଗାମୀ ଶିକ୍ଷା ଓ କ୍ୟାରିଅର ନେଇ ଯୋଜନାରେ ଲାଗିପଡ଼ିଛନ୍ତି।

ସିଏଚ୍‌ଏସଇ ପକ୍ଷରୁ କୁହାଯାଇଛି ଯେ, ଏଥର ପରୀକ୍ଷା ପ୍ରକ୍ରିୟା ଓ ମୂଲ୍ୟାୟନ ପ୍ରଣାଳୀକୁ ଅଧିକ ସ୍ୱଚ୍ଛ ଏବଂ ସୁସଂଗଠିତ କରାଯାଇଥିଲା। ଫଳାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀମାନେ ଆଧିକାରିକ ୱେବସାଇଟ୍ ଏବଂ ସଂପୃକ୍ତ କଲେଜ ମାଧ୍ୟମରେ ଫଳାଫଳ ଦେଖିପାରିଛନ୍ତି।ରାଜ୍ୟର ଶିକ୍ଷା ମହଳରେ ଏହି ଫଳାଫଳକୁ ନେଇ ଚର୍ଚ୍ଚା ଚାଲିଛି ଏବଂ ଆଗାମୀ ଉଚ୍ଚ ଶିକ୍ଷା ଭର୍ତ୍ତି ପ୍ରକ୍ରିୟା ନେଇ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି।