
ଯାତ୍ରା ମଞ୍ଚରେ ଅଭିନୟ ଚାଲିଥିବା ବେଳେ ହଠାତ୍ ଘଟିଲା ଅଘଟଣ। ଦର୍ଶକଙ୍କ ସାମ୍ନାରେ ଅଭିନୟ କରୁ କରୁ ଅସୁସ୍ଥ ହୋଇ ମଞ୍ଚ ଉପରେ ଅଚେତ ହୋଇ ପଡ଼ିଲେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ। ଘଟଣାକୁ ନେଇ କିଛି ସମୟ ପାଇଁ ଯାତ୍ରା ପରିସରରେ ଆତଙ୍କ ଖେଳିଯାଇଥିଲା। ଏଭଳି ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାସୁପାଲି ଗ୍ରାମରେ ଘଟିଛି। ଗୁରୁବାର ରାତିରେ ଯାତ୍ରା ପରିବେଷଣ ଚାଲିଥିବା ବେଳେ ପୀୟୂଷ ତ୍ରିପାଠୀ ‘ଏଡା’ ନାଟକରେ ଅଭିନୟ କରୁଥିଲେ।
ସୂଚନା ଅନୁସାରେ, ମଞ୍ଚକୁ ଯିବା ପୂର୍ବରୁ ପୀୟୂଷ ସାମାନ୍ୟ ଅସୁସ୍ଥ ଅନୁଭବ କରୁଥିଲେ। ତଥାପି ନାଟକ ପାଇଁ ଟିକେଟ୍ ବୁକିଂ ହୋଇସାରିଥିବାରୁ ସେ ନିଜ ଅସୁସ୍ଥତାକୁ ଅଣଦେଖା କରି ମଞ୍ଚକୁ ଯାଇଥିଲେ। ଦର୍ଶକଙ୍କ ସାମ୍ନାରେ ଅଭିନୟ ଆରମ୍ଭ କରିଥିଲେ। ନାଟକର ପ୍ରଥମ ଦୁଇଟି ସିନ୍ ପରେ ତାଙ୍କ ଅସୁସ୍ଥତା ଆହୁରି ବଢ଼ିଥିବା ଜଣାପଡ଼ିଛି। ତଥାପି ନାଟକ ଶେଷ ହେବାକୁ ମାତ୍ର ଗୋଟିଏ-ଦୁଇଟି ସିନ୍ ବାକି ଥିବାରୁ ସେ ଅଭିନୟ ଜାରି ରଖିଥିଲେ। ହଠାତ୍ ଅଭିନୟ କରୁଥିବା ସମୟରେ ସେ ମଞ୍ଚ ଉପରେ ଟଳିପଡ଼ିଥିଲେ।
ପୀୟୂଷ ମଞ୍ଚ ଉପରେ ପଡ଼ିଯିବା ଦେଖି ସହକଳାକାର ଓ ଯାତ୍ରା ପାର୍ଟିର ସଦସ୍ୟମାନେ ତୁରନ୍ତ ତାଙ୍କ ନିକଟକୁ ଧାଇଯାଇଥିଲେ। ତାଙ୍କୁ ମଞ୍ଚରୁ ଗ୍ରୀନ୍ ରୁମ୍କୁ ନିଆଯାଇଥିଲା। ପରେ ବିଳମ୍ବ ନକରି ତାଙ୍କୁ ବାରକୋଟ ଡାକ୍ତରଖାନାକୁ ନେଇ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଚିକିତ୍ସା ପରେ ପୀୟୂଷଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ତାଙ୍କ ଅସୁସ୍ଥତାର ପ୍ରକୃତ କାରଣ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ତେବେ ବର୍ତ୍ତମାନ ସେ ସୁସ୍ଥ ଥିବା ଖବର ପାଇବା ପରେ ପ୍ରଶଂସକ ଓ ଯାତ୍ରାପ୍ରେମୀଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି।
ମଞ୍ଚ ଉପରେ ନିଜ ଅସୁସ୍ଥତାକୁ ଅଣଦେଖା କରି ଶେଷ ପର୍ଯ୍ୟନ୍ତ ଅଭିନୟ କରିବାକୁ ଚେଷ୍ଟା କରିଥିବା ପୀୟୂଷଙ୍କ ଘଟଣା ଏବେ ଚର୍ଚ୍ଚାରେ। ଦର୍ଶକଙ୍କ ମନୋରଞ୍ଜନ ପାଇଁ କଳାକାରମାନେ କେତେ କଷ୍ଟ ସହି ମଞ୍ଚରେ ଅଭିନୟ କରନ୍ତି, ଏହି ଘଟଣା ତାହାର ଏକ ଉଦାହରଣ। ଏବେ ପୀୟୂଷ ଶୀଘ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପୁଣି ମଞ୍ଚକୁ ଫେରନ୍ତୁ ବୋଲି ତାଙ୍କ ପ୍ରଶଂସକମାନେ କାମନା କରୁଛନ୍ତି।