ବିଜେପିରେ ସବୁ କିଛି ଠିକ୍ ଚାଲିଛି ତ? ନା ଭିତରେ ଭିତରେ ଚାଲିଛି ବଡ଼ ରାଜନୈତିକ ଟଣାଓଟରା? ଜୁଏଲ ଓରାମଙ୍କ ଏକ ବୟାନ ପରେ ଏବେ ସେହି ପ୍ରଶ୍ନକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ। ବରିଷ୍ଠ ନେତା ଜୁଏଲ ଓରାମଙ୍କ ମୁହଁରୁ ଆସିଥିବା ଏହି ମନ୍ତବ୍ୟ ଦଳ ଭିତରେ ଥିବା ମତଭେଦକୁ ନେଇ ନୂଆ ଚର୍ଚ୍ଚାର ଖୋରାକ ଯୋଗାଇଛି। ଦିଲ୍ଲୀପ ଚାହୁଁଛନ୍ତି ଜୁଏଲଙ୍କ ସ୍ଥାନ ନେବାକୁ’ ଏହି କଥାକୁ ନେଇ ଏବେ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଜୋରଦାର ଚର୍ଚ୍ଚା।ତେବେ କାହିଁକି ହଠାତ୍ ଏଭଳି ବୟାନ? କ’ଣ ଏହା ପଛରେ ରହିଛି ଦଳୀୟ ଅସନ୍ତୋଷ? କୁହାଯାଉଛି, ଏହି ଅସନ୍ତୋଷ ଆଜିର ନୁହେଁ। ବହୁଦିନ ଧରି ଦଳ ଭିତରେ ନେତାଙ୍କ ମଧ୍ୟରେ ମତପାର୍ଥକ୍ୟ ଓ ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା ରହିଆସିଛି। ହେଲେ ଏବେ ଜଣେ ବରିଷ୍ଠ ନେତାଙ୍କ ବୟାନ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଆହୁରି ତେଜ ହୋଇଛି।
ରାଉରକେଲା ରାଜନୀତିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। କିଏ କାହାର ସମର୍ଥକ? କାହାର ରାଜନୈତିକ ପ୍ରଭାବ ବଢ଼ୁଛି? ଆଉ ଦଳରେ କାହାର ପତିଆରା ଅଧିକ?ଏଭଳି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାରେ।ଏହାରି ଭିତରେ ବିରୋଧୀଙ୍କୁ ମିଳିଛି ବଡ଼ ରାଜନୈତିକ ଅସ୍ତ୍ର। ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ଜୁଏଲଙ୍କ ବୟାନକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ରାଜ୍ୟସଭା ନିର୍ବାଚନ ସମୟରେ ଦଳ ବଦଳ ଓ ଭୋଟ୍କୁ ନେଇ ଯେଉଁ ଅଭିଯୋଗ-ପ୍ରତ୍ୟାରୋପ ହୋଇଥିଲା, ତାହାକୁ ମଧ୍ୟ ପ୍ରମିଳା ମଲ୍ଲିକ ଉଠାଇଛନ୍ତି।କିଏ କାହା ପାଇଁ ଟଙ୍କା ଖର୍ଚ୍ଚ କରିଥିଲେ, କିଏ କାହାକୁ ନିଜ ପଟକୁ ଆଣିବାକୁ ଉଦ୍ୟମ କରିଥିଲେ—ଏଭଳି ପ୍ରଶ୍ନ ଉଠାଇ ବିଜେପିକୁ ଘେରିଛି ବିଜେଡି। ପ୍ରମିଳା ମଲ୍ଲିକଙ୍କ ଅଭିଯୋଗ ହେଉଛି, ରାଜ୍ୟସଭା ପାଇଁ ଘୋଡ଼ା ବେପାର ଭଳି ରାଜନୀତି ହୋଇଥିଲା ଆଉ ସେଥିରେ ସାଧାରଣ ଲୋକଙ୍କ ଟଙ୍କା ବରବାଦ ହୋଇଛି।
ତେବେ ଏବେ ମୁଖ୍ୟ ପ୍ରଶ୍ନ ଜୁଏଲଙ୍କ ବୟାନ କ’ଣ ବିଜେପିର ଭିତର ରାଜନୀତିର ଏକ ବଡ଼ ସଙ୍କେତ? ଦଳ ଭିତରେ ନେତୃତ୍ୱକୁ ନେଇ କ’ଣ ଚାଲିଛି ଲଢ଼େଇ? ଗୋଟିଏ ପଟେ ବରିଷ୍ଠ ନେତାଙ୍କ ବୟାନ, ଅନ୍ୟପଟେ ବିରୋଧୀଙ୍କ ତୀବ୍ର ଆକ୍ରମଣ। ଏହାରି ଭିତରେ ଏବେ ସମସ୍ତଙ୍କ ନଜର ବିଜେପିର ପରବର୍ତ୍ତୀ ପଦକ୍ଷେପ ଉପରେ। ଦଳ ଏହି ବୟାନକୁ କିପରି ଦେଖୁଛି? ଦିଲ୍ଲୀପଙ୍କ ପକ୍ଷରୁ କ’ଣ ପ୍ରତିକ୍ରିୟା ଆସୁଛି? ଆଉ ଜୁଏଲଙ୍କ ଏହି ବୟାନ ପରେ ରାଉରକେଲା ସମେତ ରାଜ୍ୟ ବିଜେପିର ରାଜନୈତିକ ସମୀକରଣ କେଉଁ ମୋଡ଼ ନେବ? ଏବେ ସେଇ ଉତ୍ତରକୁ ଅପେକ୍ଷା। କାରଣ, ବୟାନ ଆସିଛି ବରିଷ୍ଠ ନେତାଙ୍କ ମୁହଁରୁ । ବିରୋଧୀ ମଧ୍ୟ ହୋଇଛନ୍ତି ମୁହାଁମୁହିଁ । ଆଉ ରାଜନୈତିକ ମହଲରେ ଗୋଟିଏ ଚର୍ଚ୍ଚା ଜୋର ଧରିଛି ବିଜେପିରେ ସତରେ କ’ଣ ଚାଲିଛି?