ରାୟଗଡ ଜିଲ୍ଲା ମୁନିଗୁଡା ରିପୋଟର୍ସ କ୍ଲବ ପକ୍ଷରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଟୁରାଗଡ ପଞ୍ଚାୟତ ରାମନାକୁପୁଲି ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ୟସ୍ତ ବହୁଳ କର୍ମଜୀବି ହିସାବରେ ଆଜିର ଦିବସରେ ସାମ୍ବାଦିକ ମାନେ ପରସ୍ପର ମଧ୍ୟରେ ସୁଖଦୁଃଖକୁ ବାଣ୍ଟି ଏକ ବୈଠକ କରିଥିଲେ । ଏହି ଅବସରରେ ସଂଘର ସଭାପତି ଉମାକାନ୍ତ ନିମାଲପୁରି ଙ୍କ ପୌରହିତ୍ୟରେ ଏକ ସଭା କରାଯାଇଥିଲା । କିପରି ସାମ୍ବାଦିକ ମାନେ ଚାପ ମୁକ୍ତ ହୋଇ କାର୍ଯ୍ୟ କରିବେ । ଲୋକ ପ୍ରତିନିଧିମାନଙ୍କ ଗୋଡାଣିଆ ନ ହୋଇ କିପରି ନିରପେକ୍ଷ ଭାବେ ଖବର ପ୍ରସାରଣ କରି ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିବେ ସେନେଇ ବହୁତ ସମସ୍ୟା ଘେରରେ ଥିବା କାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଗଣତନ୍ତ୍ର ର ଶେଷ ଖୁଣ୍ଟି ହିସାବରେ ଗଣମାଧ୍ୟମ ର ପଦମର୍ଯ୍ୟଦା ରଖିବା ପାଇଁ ମଧ୍ୟ ଗୁରୁତ୍ଵ ଦିଆଯାଇଥିଲା ।

ନିରପେକ୍ଷ ଖବର ପ୍ରସାରଣ ପାଇଁ ଯଦି କୌଣସି ରାଜନୈତିକ ବ୍ୟକ୍ତି ବିଶେଷ ଖବର ରୋକିବାରେ ଚାପ ପ୍ରୟୋଗ କରେ ସଂଘବଦ୍ଧ ଭାବେ କିପରି ମୁକାବିଲା କରାଯାଇପାରିବ ତାହା ସଂଘର ସମ୍ପାଦକ ରଞ୍ଜନ ସ୍ୱାଇଁଙ୍କ ପୌରହିତ୍ୟରେ ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟ ସରକାର ଙ୍କ ଗୋପବନ୍ଧୁ ସ୍ବାସ୍ଥ୍ଯ ବୀମା ଯୋଜନାରେ ପିତାମାତାଙ୍କୁ ଅନ୍ତର୍ଭୁକ୍ତ କରିବା ଓ ସାମ୍ବାଦିକ ମାନଙ୍କ ପାଇଁ ପେନସନ୍ ଯୋଜନା ଶୀଘ୍ର କାର୍ଯ୍ୟକାରୀ କରିବା ନେଇ ଜିଲ୍ଲା ଓ ରାଜ୍ୟ ସଂଘ ସହ ମିଳିତ ଦାବି କରିବାକୁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ନିର୍ଦ୍ଧାରଣ କରାଯାଇଥିଲା । କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ଅଜିତ ଗୌଡ, ଉପ ସଭାପତି କୌଶଲ ଦୁବେ, ସହ ସମ୍ପାଦକ ଜି. ଶ୍ରୀନିବାସଙ୍କ ସମେତ ଯୁବ ସାମ୍ବାଦିକ ମହେଶ ବୋହରା, ଦୟାନିଧି ସାହୁ, କେଶବ ସାରାକା ପ୍ରମୁଖ ଉପସ୍ଥିତ ରହିଥିଲେ । କାର୍ଯ୍ୟକ୍ରମକୁ ସାମ୍ବାଦିକ ଲକ୍ଷ୍ମୀକାନ୍ତ ବେହେରା ପରିଚାଳନା କରିଥିବା ବେଳେ ସାମ୍ବାଦିକ ସଞ୍ଜୟ ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।