ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି ପାଇ ଅର୍ଥନୈତିକ ଅନିଶ୍ଚିତତା ସୃଷ୍ଟି !

ଆମେରିକା ଓ ଇରାନ ମଧ୍ୟରେ ଚାଲୁଥିବା ତୀବ୍ର ରାଜନୈତିକ ତଣାପୋଡ଼ ଆଉ ଏକ ନୂଆ ପର୍ଯ୍ୟାୟକୁ ପହଞ୍ଚିଛି । ଇରାନର ତୈଳ ରପ୍ତାନିକୁ ଅଟକାଇବା ଉଦ୍ଦେଶ୍ୟରେ ଆମେରିକା ହର୍ମୁଜ ନାଳାରେ ଚାପ ବଢ଼ାଇଥିବା ଅଭିଯୋଗ ମଧ୍ୟ ଉଠିଛି । ଏହି ଘଟଣା ପରିପ୍ରେକ୍ଷିତରେ ଇରାନ ସଂସଦର ବାଚସ୍ପତି ମହମ୍ମଦ ବଘେର୍ ଗାଲିବାଫ ଆମେରିକା ଓ ତାହାର ନୀତିକୁ ଟାର୍ଗେଟ କରି ସୋସିଆଲ ମିଡିଆ ଏକ୍ସ ରେ ବ୍ୟଙ୍ଗାତ୍ମକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି ଯେ, ଇରାନର ତୈଳ କୂପ ଧ୍ୱଂସ ହେବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭବିଷ୍ୟବାଣୀ ସତ ହୋଇନାହିଁ, କାରଣ ଏପର୍ଯ୍ୟନ୍ତ କୌଣସି କୂପରେ ବିସ୍ଫୋରଣ ହୋଇନାହିଁ । ଗାଲିବାଫଙ୍କ ଏହି ପ୍ରତିକ୍ରିୟା ଟ୍ରମ୍ପଙ୍କ ପୂର୍ବବର୍ତ୍ତୀ ଘୋଷଣା ପରେ ଆସିଛି, ଯେଉଁଠାରେ ସେ କହିଥିଲେ ଯେ ତିନି ଦିନ ମଧ୍ୟରେ ଇରାନ ଉପରେ “ଅତ୍ୟନ୍ତ ବିନାଶକାରୀ ପଦକ୍ଷେପ” ନିଆଯିବ ଏବଂ ତୈଳ କୂପଗୁଡ଼ିକୁ ଲକ୍ଷ୍ୟ କରାଯିବ । ଏହା ସହ ଆମେରିକା ହର୍ମୁଜ ନାଳାରେ ବ୍ୟବସାୟିକ ଜାହାଜ ଉପରେ କଟକଣା ଲଗାଇ ଇରାନର ତୈଳ ରପ୍ତାନିକୁ ପ୍ରଭାବିତ କରୁଛି ବୋଲି ଇରାନ ଅଭିଯୋଗ କରିଛି ।

ଗାଲିବାଫ ଆମେରିକାର ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ନୀତିକୁ ମଧ୍ୟ ସମାଲୋଚନା କରିଛନ୍ତି ଏବଂ ଏହି ଚାପକୁ ଅର୍ଥନୈତିକ ଯୁଦ୍ଧର ଅଂଶ ବୋଲି ବର୍ଣ୍ଣନା କରିଛନ୍ତି । ସେ ଦାବି କରିଛନ୍ତି ଯେ ଆମେରିକାର ପଦକ୍ଷେପରେ ବିଶ୍ୱ ବଜାରରେ ତୈଳ ଦର ଆକାଶଛୁଆଁ ହୋଇଛି। ତାଙ୍କ ମତରେ ବ୍ୟାରେଲ ପିଛା ଦର 120 ଡଲାରକୁ ପହଞ୍ଚିଛି ଏବଂ ଆଗାମୀଦିନରେ ଏହା 140 ଡଲାର ପର୍ଯ୍ୟନ୍ତ ବଢ଼ିପାରେ । ଅନ୍ୟପଟେ, ଟୋକିଓରେ ବ୍ରେଣ୍ଟ କ୍ରୁଡ ତୈଳର ଦର ପ୍ରାୟ 6% ବୃଦ୍ଧି ପାଇ 118 ଡଲାର ପ୍ରତି ବ୍ୟାରେଲ ହୋଇଛି, ଯାହା ଜୁନ 2022 ପରେ ସର୍ବାଧିକ ମୂଲ୍ୟ ବୋଲି କୁହାଯାଉଛି । ଏହି ଦର ବୃଦ୍ଧି ବିଶ୍ୱ ଅର୍ଥନୀତି ଓ ତୈଳ ବଜାରରେ ଅନିଶ୍ଚିତତା ବଢ଼ାଇଛି । ଇରାନ ଏହି ସମସ୍ତ ପରିସ୍ଥିତିକୁ ଆମେରିକାର ରଣନୈତିକ ବିଫଳତା ଭାବେ ଦେଖୁଛି, ଯେଉଁଠାରେ ଆମେରିକା ନିଜ ପକ୍ଷରୁ ଏହାକୁ ଚାପ ନୀତିର ଅଂଶ ଭାବେ ରକ୍ଷା କରୁଛି । ଏହି ପରିସ୍ଥିତି ଆଗାମୀଦିନରେ ବିଶ୍ୱ ତୈଳ ବଜାର ଓ ଭୂ-ରାଜନୈତିକ ସମୀକରଣକୁ ଆଉ ଅଧିକ ଜଟିଳ କରିପାରେ ।