ବାଲେଶ୍ୱରରେ ଜଳବନ୍ଦୀ ଲୋକ

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଅସ୍ତି ଗ୍ରାମପଞ୍ଚାୟତରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ନେଇଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେବାରୁ ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଘରଦ୍ୱାର ଭିତରକୁ ବନ୍ୟାଜଳ ପଶିଯିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ଏକପ୍ରକାର ଠପ୍‌ ହୋଇଯାଇଛି। ଅନେକ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାଜଘାଟ ନିକଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ରହିଥିବା ବେଳେ ସକାଳ ୧୦ଟା ସୁଦ୍ଧା ଜଳସ୍ତର ୧୧.୫୫ ମିଟରରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଜଳସ୍ତର ବୃଦ୍ଧି ଯୋଗୁଁ ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱର ବ୍ଲକର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବାରମ୍ବାର ବନ୍ୟା ଯୋଗୁଁ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିଛି।

ବନ୍ୟାଜଳ ଘରେ ପଶିଯିବାରୁ ଧାନ, ଚାଉଳ, ଖାଦ୍ୟ ସାମଗ୍ରୀ ଓ ଆସବାବପତ୍ର ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଏପଟେ କିଛି ଦିନ ପୂର୍ବରୁ ରୁଆଯାଇଥିବା ଧାନ ତଳି ମଧ୍ୟ ପାଣିରେ ବୁଡ଼ି ନଷ୍ଟ ହେବାକୁ ବସିଛି। ଜଳ ନିଷ୍କାସନର ସୁବିଧା ନଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଛି। ବନ୍ୟାଜଳ ରାସ୍ତା ଉପରେ ପ୍ରାୟ ୪ ଫୁଟ ପର୍ଯ୍ୟନ୍ତ ପ୍ରବାହିତ ହେଉଥିବାରୁ ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲୋକମାନେ ଦେଶୀ ଡଙ୍ଗା ଓ ପାୱାରବୋଟ୍‌ ସାହାଯ୍ୟରେ ଯାତାୟାତ କରୁଛନ୍ତି।

ଚାରିଆଡ଼େ ପାଣି ଜମି ରହିଥିବାରୁ ଗୋରୁଗାଈ ଓ ଅନ୍ୟ ଗୃହପାଳିତ ପଶୁମାନେ ମଧ୍ୟ ଖାଦ୍ୟ ପାଇଁ ସମସ୍ୟାରେ ପଡ଼ିଛନ୍ତି। ତେବେ ସବୁଠାରୁ ବଡ଼ ଅଭିଯୋଗ ହେଉଛି, ବନ୍ୟାରେ ଫସିଥିବା ଲୋକଙ୍କ ନିକଟରେ ପର୍ଯ୍ୟାପ୍ତ ସରକାରୀ ରିଲିଫ୍‌, ଶୁଖିଲା ଖାଦ୍ୟ ଓ ପାନୀୟ ଜଳ ଏପର୍ଯ୍ୟନ୍ତ ପହଞ୍ଚିନଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବନ୍ୟା ସମୟରେ ତୁରନ୍ତ ରିଲିଫ୍‌ ଓ ଆବଶ୍ୟକ ସହାୟତା ଯୋଗାଇବା ସରକାର ଓ ପ୍ରଶାସନର ପ୍ରାଥମିକ ଦାୟିତ୍ୱ। କିନ୍ତୁ ଅସ୍ତି ପଞ୍ଚାୟତର ଅନେକ ବନ୍ୟା ପ୍ରଭାବିତ ପରିବାରଙ୍କ ନିକଟରେ ସହାୟତା ପହଞ୍ଚିବାରେ ବିଳମ୍ବ ହେଉଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଲୋକଙ୍କ ପ୍ରଶ୍ନ—ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଥିବା ବନ୍ୟା ବିପନ୍ନଙ୍କ ପାଖରେ ସରକାରୀ ସହାୟତା କେବେ ପହଞ୍ଚିବ?

ଏହି ଅଭିଯୋଗ ସମ୍ପର୍କରେ ସରକାର କିମ୍ବା ପ୍ରଶାସନ ପକ୍ଷରୁ ତୁରନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ତେଣୁ ଅସ୍ତି ପଞ୍ଚାୟତର ସମସ୍ତ ପ୍ରଭାବିତ ପରିବାରଙ୍କ ନିକଟରେ ଶୀଘ୍ର ରିଲିଫ୍‌, ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସହାୟତା ପହଞ୍ଚାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।