ବଳକା ଭାତକୁ ପୁଣି ଗରମ କରି ଖାଉଛନ୍ତି କି ? ହୋଇପାରେ ଗୁରୁତର ସ୍ୱାସ୍ଥ୍ୟ ବିପଦ

ବଳକା ଭାତକୁ ପୁଣି ଗରମ କରି ଖାଉଛନ୍ତି କି? ଯଦି ହଁ ତେବେ ହୋଇଜାଆନ୍ତୁ ସତର୍କ…ଆଜିକାଲିର ବ୍ୟସ୍ତ ଜୀବନରେ ବଳକା ଖାଦ୍ୟ ରଖି ପରଦିନ ଖାଇବା ଲୋକମାନଙ୍କର ଏକ ସାଧାରଣ ଅଭ୍ୟାସ ହୋଇସାରିଛି । ବିଶେଷ କରି ରାତିରେ ବଞ୍ଚିଥିବା ଭାତକୁ ଫ୍ରିଜ୍‌ରେ ରଖି ସକାଳେ ପୁଣି ଗରମ କରି ଖାଇବାକୁ ଅଧିକାଂଶ ଲୋକ ସୁବିଧାଜନକ ମନେ କରନ୍ତି। ହେଲେ ଆପଣ କଣ ଜାଣନ୍ତି କି ଭାତକୁ ଗରମ କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବଡ଼ ବିପଦପୂର୍ଣ୍ଣ ହୋଇପାରେ ।ଚାଲନ୍ତୁ ଆମେ ଆପଣଙ୍କୁ ଜଣେଇବୁ କି ବଳକା ବା ବାସି ଭାତ ଗରମ କରି ଖାଇଲେ କଣ ହେବ ଅସୁବିଧା ? କାହିଁକି ନା ବଳକା ଖାଦ୍ୟ କେବଳ ସମୟ ବଞ୍ଚାଏ ନାହିଁ ବରଂ ଜୀବନକୁ ବହୁତ ସହଜ କରିଥାଏ । ରାନ୍ଧା ଭାତକୁ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ସାଧାରଣ ତାପମାତ୍ରାରେ ରଖାଯାଏ, ତେବେ ଏଥିରେ ବ୍ୟାକ୍ଟେରିଆ ବୃଦ୍ଧି ପାଇବାର ସମ୍ଭାବନା ବଢ଼ିଯାଏ । ବିଶେଷ କରି Bacillus cereus ନାମକ ବ୍ୟାକ୍ଟେରିଆ ଭାତରେ ଶୀଘ୍ର ବଢ଼ିଥାଏ । ଏହାର ବିଷାକ୍ତ ପ୍ରଭାବରୁ ଫୁଡ୍ ପଏଜନିଂ, ବାନ୍ତି, ଡାୟେରିଆ, ପେଟବେଥା ଓ ଅସୁସ୍ଥତା ହୋଇପାରେ।

ଅନେକେ ଭାବନ୍ତି ଯେ ପୁଣି ଥରେ ଭାତକୁ ଭଲ ଭାବରେ ଗରମ କଲେ ସମସ୍ୟା ରହିବ ନାହିଁ। କିନ୍ତୁ ଏହା ସବୁବେଳେ ସତ୍ୟ ନୁହେଁ । କିଛି ବ୍ୟାକ୍ଟେରିଆ ତାପରେ ନଷ୍ଟ ହେଲେ ମଧ୍ୟ ସେମାନଙ୍କ ତିଆରି କରା ବିଷାକ୍ତ ଦ୍ରବ୍ୟ ରହିଯାଇପାରେ । ଏହି କାରଣରୁ ଭାତକୁ ଠିକ୍ ଭାବରେ ସଂରକ୍ଷଣ କରିବା ଅତ୍ୟନ୍ତ ଆବଶ୍ୟକ ।ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି, ରାନ୍ଧା ଭାତକୁ ୧ରୁ ୨ ଘଣ୍ଟା ମଧ୍ୟରେ ଥଣ୍ଡା କରି ଫ୍ରିଜ୍‌ରେ ରଖିଦେବା ଉଚିତ । ଏହାକୁ ବାରମ୍ବାର ଗରମ କରିବା ମଧ୍ୟ ଉଚିତ ନୁହେଁ । ଯେତେ ଦରକାର ସେତେ ମାତ୍ରାରେ ଭାତ ବାହାର କରି ଗରମ କରି ଖାଇବା ସୁରକ୍ଷିତ । ସେହିପରି, ଯଦି ଭାତରୁ ଅଜଣା ଗନ୍ଧ ଆସୁଛି କିମ୍ବା ତାହା ଅଧିକ ସମୟ ଧରି ବାହାରେ ପଡ଼ିରହିଛି, ତେବେ ସେହି ଭାତ ଖାଇବାକୁ ଏଡ଼ାଇବା ଉଚିତ ।

ବଳକା ଖାଦ୍ୟ ସମୟ ବଞ୍ଚାଇଥାଏ ଓ ଜୀବନକୁ ସହଜ କରିଥାଏ, କିନ୍ତୁ ଅସାବଧାନତା ସ୍ୱାସ୍ଥ୍ୟ ପାଇଁ ବିପଦ ଡାକି ଆଣିପାରେ । ତେଣୁ ବଳକା ଭାତ ଖାଇବା ପୂର୍ବରୁ ସଠିକ୍ ସଂରକ୍ଷଣ ଓ ଗରମ କରିବାର ନିୟମ ମାନିବା ଅତ୍ୟନ୍ତ ଜରୁରୀ ।