ନୂଆ କାହାଣୀ, ନୂଆ ରଙ୍ଗ, ନୂଆ ଆଶା ସହ ମଞ୍ଚକୁ ଫେରୁଛି ଯାଜ୍ଞସେନୀ

ଓଡ଼ିଶାର ଯାତ୍ରା ଜଗତରେ ନୂଆ ଋତୁର ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଯାତ୍ରାପାର୍ଟିର ଆଖଡ଼ା ଘରେ ଚାଲିଛି ନୂଆ ନାଟକର ପ୍ରସ୍ତୁତି। ଏହି ପରିପ୍ରେକ୍ଷୀରେ ମା ହିଙ୍ଗୁଳା ଇଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ପରିଚାଳିତ ଅପେରା ଯାଜ୍ଞସେନୀ ରବିବାର ଯଖପୁରାସ୍ଥିତ ଆଖଡ଼ା ଘରେ ବିଧିବଦ୍ଧ ଭାବେ ଆଖଡ଼ା ପୂଜା କରି ନୂଆ ବର୍ଷର ଯାତ୍ରା ଋତୁ ପାଇଁ ଶୁଭାରମ୍ଭ କରିଛି।

ପ୍ରଯୋଜିକା ଆଡଭୋକେଟ ସୁଦୀପ୍ତା ସିଂହଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯାତ୍ରା ଜଗତର ବହୁ ଅଭିଜ୍ଞ ଓ ଲୋକପ୍ରିୟ କଳାକାର ଯୋଗଦେଇଛନ୍ତି। ଚଳିତ ବର୍ଷ ୨୦୨୬-୨୭ ଋତୁ ପାଇଁ ନାୟକ ଭାବେ ଲରେନ୍ସ ମିଶ୍ର ଓ ଅମରଜିତ ମିଶ୍ର, ନାୟିକା ଭାବେ ତମସା ମିଶ୍ର, ଖଳନାୟକ ଭୂମିକାରେ ସନ୍ଦୀପ ଏବଂ ହାସ୍ୟ ଅଭିନେତା ଭାବେ ନିତ୍ୟାନନ୍ଦ ଓ କାଳିଆ ଷଣ୍ଢଙ୍କ ପରି ଚର୍ଚ୍ଚିତ କଳାକାରମାନେ ଦର୍ଶକଙ୍କ ମନୋରଞ୍ଜନ କରିବେ।

ଏହି ଅବସରରେ ଯାତ୍ରା ଯାଜ୍ଞସେନୀର ଚାରିଟି ନୂଆ ନାଟକ ମଧ୍ୟରୁ “ସନାତନୀ”, “କାଳିଆ ଡୋରି ଲାଗିଛି ମହାପୁରୁଷ” ଏବଂ “ଭାବ ଲାଗିଛି ଭୂତ ସାଥିରେ” ଭଳି ଆକର୍ଷଣୀୟ ନାଟକଗୁଡ଼ିକର ଅଭ୍ୟାସ ଆରମ୍ଭ ହେବ ବୋଲି ସୂଚନା ମିଳିଛି।ଯାତ୍ରାର ମୁଖ୍ୟ ଉପଦେଷ୍ଟା ଇଞ୍ଜିନିୟର ପ୍ରସନ୍ନଜିତ ନାୟକ କହିଛନ୍ତି ଯେ, ଚଳିତ ବର୍ଷ ଦର୍ଶକଙ୍କ ରୁଚିକୁ ଧ୍ୟାନରେ ରଖି ସାମାଜିକ, ଆଧ୍ୟାତ୍ମିକ ଓ ମନୋରଞ୍ଜନଧର୍ମୀ କାହାଣୀ ଉପରେ ଆଧାରିତ ନାଟକ ପ୍ରସ୍ତୁତ କରାଯାଇଛି। ଏହି ନାଟକଗୁଡ଼ିକ ଦର୍ଶକଙ୍କ ଭଲପାଇବା ହାସଲ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଆଖଡ଼ା ପୂଜା ଅବସରରେ ସ୍ଥାନୀୟ ଅଞ୍ଚଳର ବହୁ ଜନସାଧାରଣ, କଳାପ୍ରେମୀ ଓ ଯାତ୍ରାପ୍ରେମୀ ଉପସ୍ଥିତ ରହି ନୂଆ ଋତୁ ପାଇଁ କଳାକାରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଆଖଡ଼ା ପୂଜା ସହ ଆରମ୍ଭ ହୋଇଥିବା ଏହି ପ୍ରସ୍ତୁତି ଯାତ୍ରାପ୍ରେମୀଙ୍କ ମଧ୍ୟରେ ନୂଆ ଉତ୍ସାହ ସୃଷ୍ଟି କରିଥିବା ବେଳେ, ଆସନ୍ତା ଯାତ୍ରା ଋତୁରେ ଯାଜ୍ଞସେନୀ କେତେ ଦୂର ଦର୍ଶକଙ୍କ ମନ ଜିତିପାରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।