ନିମ୍ନମାନର ନିର୍ମାଣ! ୩ ମାସରେ ନୂଆ ସ୍କୁଲ ଛାତରୁ ପାଣି ଗଳିଲା

ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ କନସିଂହା ଗ୍ରାମପଞ୍ଚାୟତର ନୂଆଁପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିମ୍ନମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଅଭିଯୋଗକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ୱାଧୀନତା ବର୍ଷ ୧୯୪୭ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟ ଦୀର୍ଘ ବର୍ଷ ଧରି ଶିକ୍ଷାଦାନ କରିଆସୁଥିଲେ ମଧ୍ୟ ବର୍ତ୍ତମାନ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସ୍କୁଲର ନୂତନ କୋଠା ନିର୍ମାଣ ହୋଇଥିଲେ ମଧ୍ୟ ମାତ୍ର ତିନି ମାସ ମଧ୍ୟରେ ଛାତରୁ ପାଣି ଗଳିବା ଆରମ୍ଭ ହୋଇଯାଇଛି। ଏଥିସହ ସ୍କୁଲରେ ବ୍ଲାକ୍‌ବୋର୍ଡ, ସୂଚନା ଫଳକ ଭଳି ମୌଳିକ ସୁବିଧାର ଅଭାବ ମଧ୍ୟ ରହିଛି। ବର୍ଷା ହେଲେ ଶ୍ରେଣୀଗୃହ ଭିତରକୁ ପାଣି ପଶୁଥିବାରୁ ପାଠପଢ଼ା ବ୍ୟାହତ ହେଉଥିବା ଅଭିଯୋଗ ହୋଇଛି।ପୂର୍ବତନ ସ୍କୁଲ ଚେୟାରମ୍ୟାନ ଓ ଗ୍ରାମର ଗୌତିଆଙ୍କ କହିବା ଅନୁସାରେ, ନବନିର୍ମିତ କୋଠାର ଛାତରୁ ପାଣି ଗଳୁଥିବା ଘଟଣା ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମାତ୍ର ତିନି ମାସ ମଧ୍ୟରେ ଏପରି ସ୍ଥିତି ସୃଷ୍ଟି ହେବାକୁ ସେମାନେ ନିମ୍ନମାନର କାମର ପରିଣାମ ବୋଲି ଅଭିଯୋଗ କରିଛନ୍ତି।ଏହି ସମସ୍ୟା ସମ୍ପର୍କରେ ବ୍ଲକ ବିଡିଓ ଓ ସହକାରୀ ଯନ୍ତ୍ରୀଘଟଣାସ୍ଥଳ ପରିଦର୍ଶନ କରିଥିବା ସୂଚନା ମିଳିଛି। କିନ୍ତୁ ସେମାନେ ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ଅଭିଯୋଗ ହୋଇଛି।ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ପ୍ରସଙ୍ଗରେ ପୂର୍ବରୁ ବ୍ଲକ ବିଡିଓ ଏବଂ ବରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ମଧ୍ୟ କରାଯାଇଥିଲା। ତଥାପି ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ଦିଗରେ କୌଣସି ଦୃଶ୍ୟମାନ ପଦକ୍ଷେପ ନିଆଯାଇନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଚାଲିଛି।ସ୍କୁଲ ଭଳି ଏକ ଶିକ୍ଷାନୁଷ୍ଠାନରେ ଏପରି ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ନେଇ ସ୍ଥାନୀୟ ଅଭିଭାବକମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ବର୍ଷା ଦିନରେ ଛାତରୁ ପାଣି ଗଳିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ପାଠପଢ଼ା ଉଭୟ ପ୍ରଭାବିତ ହେଉଥିବା ସେମାନେ କହିଛନ୍ତି।ଏବେ ଏହି ଖବର ପ୍ରସାରଣ ପରେ ବ୍ଲକ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ କି ପଦକ୍ଷେପ ନିଆଯିବ ଏବଂ ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।