ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଏକ ଅଭିନୟ ଘଟଣା ଦେଖିବାକୁ ମିଳିଛି। ଚାଷ କାମ କରୁଥିବା ବେଳେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଜଣେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣା ରାୟଗଡ଼ା କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ଘଟିଛି। ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସିଲେଟ ପଞ୍ଚାୟତର ବିପିନ ନାଏକଙ୍କ ଟ୍ରାକ୍ଟର ( OD-18H-0671) ଆଜି ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତର କଳାକୁପା ଗାଁର ବନ ବିଭାର ଙ୍କ ଜମିରେ ଚାଷ କାମ କରିବାକୁ ଯାଇଥିଲା।
ଦିନ ପ୍ରାୟ ୧୨ଟା ସମୟରେ ବାଢ଼ରେ ଚାଷ କରୁଥିବା ବେଳେ ହଠାତ୍ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ଟ୍ରାକ୍ଟର ଚାଳକ ସୁଶାନ୍ତ ଗୌଡ଼ (୧୯) ଗୁରୁତର ଭାବେ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକେ ସୁଶାନ୍ତଙ୍କୁ ଉଦ୍ଧାର କରି ଜୀବନ ଆଶା କରି କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ କାର୍ଯ୍ୟରତ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ସ୍ଥାନୀୟ ଜେପୁର ପୋଲିସ ଖବର ପାଇ ଘଟଣାସ୍ଥଳ ପହଞ୍ଚି ତଦନ୍ତ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବକୁ ବ୍ୟବଛେଦ ପାଇଁ ପଠାଯାଇଥିବା ବେଳେ ପୋଲିସ ପ୍ରକୃତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ନିରିହ ପରିବାର ହେଇଥିବା ରୁ ପରିବାର ଭରଣପୋଷଣ ନିମନ୍ତେ ଡ୍ରାଇଭର କାମ କରୁଥିବା ସୁଶାନ୍ତ ଙ୍କ ପାଇଁ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଛି।