କୁସୁମୀ ବ୍ଲକର ଛଣୁଆଁ ବିଦ୍ୟାଳୟରେ ୭୬ ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ

କୁସୁମୀ: କୁସୁମୀ ବ୍ଲକ ଅନ୍ତର୍ଗତ ଛଣୁଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରଙ୍କ ଶିକ୍ଷା ଓ ଛାତ୍ରଛାତ୍ରୀ କଲ୍ୟାଣମୂଳକ ଯୋଜନା ଅନୁସାରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଉତ୍ସାହ ଓ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଗିରିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ, ଅଭିଭାବକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଏବଂ ଗ୍ରାମବାସୀମାନେ ଯୋଗଦେଇଥିଲେ।

ଏହି ଅବସରରେ ବିଦ୍ୟାଳୟରେ ନାମଲେଖା ଥିବା ୧୦୪ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଉପସ୍ଥିତ ୭୬ ଜଣଙ୍କୁ ନୂତନ ସ୍କୁଲ ପୋଷାକ ବଣ୍ଟନ କରାଯାଇଥିଲା। ପୋଷାକ ପାଇବା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଅବଶିଷ୍ଟ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ସମୟରେ ପୋଷାକ ପ୍ରଦାନ କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଗିରି ଛାତ୍ରଛାତ୍ରୀଙ୍କୁ ନିୟମିତ ବିଦ୍ୟାଳୟକୁ ଆସିବା, ଶୃଙ୍ଖଳା ରକ୍ଷା କରିବା ଏବଂ ମନୋଯୋଗ ସହ ପାଠପଢ଼ା କରିବା ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ସରକାରଙ୍କ ବିଭିନ୍ନ ଛାତ୍ରକଲ୍ୟାଣ ଯୋଜନା ଶିକ୍ଷାର ବିକାଶ ସହ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନଙ୍କୁ ବିଦ୍ୟାଳୟ ସହ ଯୋଡ଼ି ରଖିବାରେ ସହାୟକ ହେଉଛି।

କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ନିରୋଧ ମହାନ୍ତ, ଦୟାନିଧି ଗିରି, ଶିକ୍ଷୟିତ୍ରୀ ସବିତା ମହାନ୍ତପୂଜା ନାୟକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ସେହିପରି ସ୍କୁଲ କମିଟି ସଭାପତି ସାଇବୁ ମହାନ୍ତ, ଗ୍ରାମବାସୀ ସାର୍ଥକ ମହାନ୍ତ, ସୁକଲାଲ ମହାନ୍ତ, ପ୍ରେମଲତା ମହାନ୍ତ, ସାରଥି ମହାନ୍ତ, ସାମ୍ବାଦିକ ଜୀତେନ୍ଦ୍ର ଅଗ୍ରୱାଲ ଏବଂ ଶିବଶଙ୍କର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ପୋଷାକ ବଣ୍ଟନ ଭଳି କଲ୍ୟାଣମୂଳକ ପଦକ୍ଷେପ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ଆଗ୍ରହ ବଢ଼ାଇବା ସହିତ ଶିକ୍ଷା କ୍ଷେତ୍ରରେ ସମାନ ସୁଯୋଗ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଉପସ୍ଥିତ ଅଭିଭାବକ ଓ ଗ୍ରାମବାସୀମାନେ ମତ ପ୍ରକାଶ କରିଥିଲେ।