କନ୍ଧମାଳରେ ପୁଣି ଦନ୍ତା ହାତୀର ଆତଙ୍କ! ଚାଷୀଙ୍କୁ ଦଳି ମାରିଲା ହାତୀ

କିଛି ମାସର ବ୍ୟବଧାନ ପରେ ପୁଣି ଥରେ କନ୍ଧମାଳ ଜିଲ୍ଲାରେ ଦନ୍ତା ହାତୀର ଆତଙ୍କ ଫେରିଛି। ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।ମୃତକ ହେଲେ ପ୍ରଦୀପ ପ୍ରଧାନ। କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଡଙ୍ଗାଏଯୁ ଗ୍ରାମ ନିକଟସ୍ଥ ସିରାପାଦେରି ଅଞ୍ଚଳରେ ଘଟିଛି ଏହି ଦୁଃଖଦ ଘଟଣା।ଘଟଣା ପରେ ଟିକାବାଲି, ଜି.ଉଦୟଗିରି ଓ ରାଇକିଆ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ବାରମ୍ବାର ହାତୀ, ମଣିଷ ସଂଘର୍ଷକୁ ନେଇ ସ୍ଥାନୀୟ ଲୋକେ ଆଗୁଆ ସତର୍କ ସୂଚନା ଓ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି ଜୋରଦାର କରିଛନ୍ତି।

ସୂଚନା ଅନୁଯାୟୀ, ସେ ନିଜ ଚାଷ ଜମିରେ ଫସଲ ଜଗିବା ପାଇଁ ଏକ କୁଡ଼ିଆ କରି ସେଠାରେ ରହୁଥିଲେ। ଘଟଣା ଦିନ ସନ୍ଧ୍ୟାରେ ପରିବାର ଲୋକେ ଘରକୁ ଫେରିଥିବା ବେଳେ ପ୍ରଦୀପ ପ୍ରଧାନ କିଛି ସମୟ ପରେ ଫେରିବେ ବୋଲି ସେଠାରେ ରହିଯାଇଥିଲେ।ରାତି ପ୍ରାୟ ୮ରୁ ୯ଟା ମଧ୍ୟରେ ସେ ଜଣେ ଗ୍ରାମବାସୀଙ୍କ ସହ ଘରକୁ ଫେରୁଥିବା ବେଳେ ସିରାପାଦେରି ନିକଟରେ ରାସ୍ତା ପାର୍ଶ୍ୱରେ ପଣସ ଖାଉଥିବା ଏକ ଦନ୍ତା ହାତୀ ସମ୍ମୁଖରେ ପଡ଼ିଥିଲେ। ସାଙ୍ଗରେ ଥିବା ବ୍ୟକ୍ତି ଦୌଡ଼ି ପଳାଇ ଜୀବନ ବଞ୍ଚାଇଥିବା ବେଳେ ପ୍ରଦୀପ ହାତୀ କବଳରୁ ବଞ୍ଚି ପାରିନଥିଲେ। ହାତୀର ଆକ୍ରମଣରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।ପରେ ଗ୍ରାମବାସୀ ଓ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ପ୍ରବଳ ବର୍ଷା ଓ ଘଞ୍ଚ ଜଙ୍ଗଲ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ରାତିରେ ବନ ବିଭାଗ ପହଞ୍ଚି ପାରିନଥିବା ବେଳେ ପରଦିନ ସକାଳେ ବନ ବିଭାଗ, ପୁଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

ଘଟଣା ପରେ ବଡ଼ିମୁଣ୍ଡା ସରପଞ୍ଚ ବଦନ କୁମାର ପ୍ରଧାନ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ସରକାରୀ ନିୟମ ଅନୁସାରେ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ତୁରନ୍ତ ପ୍ରଦାନ କରିବାକୁ ଦାବି କରିଛନ୍ତି। ଏହାସହ ହାତୀ ଚଳପ୍ରଚଳ ଥିବା ଅଞ୍ଚଳରେ ସୋଲାର ସାଇରନ, ସୋଲାର ଲାଇଟ୍, ନିୟମିତ ପାଟ୍ରୋଲିଂ ଓ ଆଗୁଆ ସତର୍କ ସୂଚନା ବ୍ୟବସ୍ଥା କରିବାକୁ ମଧ୍ୟ ଦାବି ହୋଇଛି। ରେଞ୍ଜର ମାଣିକେଶ୍ୱରୀ ପଟ୍ଟନାୟକ ମଧ୍ୟ ଶୀଘ୍ର ସରକାରୀ ଅନୁକମ୍ପା ରାଶି ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।
ଗତ ମାର୍ଚ୍ଚ ମାସରେ ମଧ୍ୟ ହାତୀ ଆକ୍ରମଣରେ ଡାମ୍ଭା ଗ୍ରାମର ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଗତ ଦୁଇ ବର୍ଷ ମଧ୍ୟରେ ଜି.ଉଦୟଗିରି, ରାଇକିଆ ଓ ଟିକାବାଲି ଅଞ୍ଚଳରେ ହାତୀ ଆକ୍ରମଣରେ ପ୍ରାୟ ସାତ ଜଣଙ୍କ ଜୀବନ ଯାଇଥିବା ସୂଚନା ରହିଛି। ବାରମ୍ବାର ହାତୀ-ମଣିଷ ସଂଘର୍ଷ ଯୋଗୁଁ ଏବେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ବଢ଼ିଛି। ତେଣୁ ଆଗୁଆ ସୂଚନା, ସଚେତନତା ଓ ପ୍ରଭାବଶାଳୀ ସୁରକ୍ଷା ବ୍ୟବସ୍ଥା ଜରୁରୀ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି।

କନ୍ଧମାଳରେ ପୁଣି ଦନ୍ତା ହାତୀର ଆତଙ୍କ ଜଣେ ଚାଷୀଙ୍କ ଜୀବନ ନେଇଛି। ବାରମ୍ବାର ଏଭଳି ଘଟଣା ପରେ ବନ ବିଭାଗର ପ୍ରତିରୋଧମୂଳକ ପଦକ୍ଷେପ କେତେ ପ୍ରଭାବୀ ହେବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।