୨ ମହିଳାଙ୍କୁ ଦଳି ଦେଲା ଦନ୍ତା

ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ । ମହୁଲ ଗୋଟାଇବାକୁ ଯାଇଥିବା ଦୁଇ ଜଣ ମହିଳାଙ୍କୁ ଦଳି ଦେଲା ବଣୁଆ ହାତୀ । ଘଟଣା ସ୍ଥଳରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସା ପାଇଁ ବୁର୍ଲା ମେଡିକାଲକୁ ନିଆଯାଉଥିବା ଅନ୍ୟ ଜଣେ ମହିଳାଙ୍କ ହସ୍ପିଟାଲ ରେ ମୃତ୍ୟୁ ଘଟିଛି । ମୃତ ମହିଳା ହେଲେ ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ ଟୁର୍ଚା ଗାଁର କେତକୀ ସାହୁ ଓ କୁମୋଦିନୀ ସାହୁ ।

ସୂଚନା ଅନୁସାରେ, ଟୁର୍ଚା ଗାଁର କେତକୀ ସାହୁ ଓ କୁମୋଦିନୀ ସାହୁ ମହୁଲ ଗୋଟାଇବାକୁ ଯାଇଥିଲେ । ଫେରିବା ବାଟରେ ବଣୁଆ ହାତୀ ମହିଳାମାନଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସପିଟାଲରେ ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଅଞ୍ଚଳବାସୀ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ପରିବାର ବର୍ଗଙ୍କୁ ରୋଜଗାର ଯୋଗାଇ ଦେବା ଦାବିରେ ବନ ବିଭାଗର ବରଗଡ଼ ଡିଏଫଓ, ଏସିଏଫ, ରେଞ୍ଜର, ଫରେଷ୍ଟରଙ୍କୁ ଘେରାଉ କରିଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ସହିତ ବନ ବିଭାଗ ଅଧିକାରୀମାନେ ଆଲୋଚନା କରିବା ସହ ମୃତକଙ୍କ ପରିବାରକୁ 6ଲକ୍ଷ ଟଙ୍କା ଅନୁକମ୍ପା ଆର୍ଥିକ ସହାୟତା ଓ ପରିବାର ସଭ୍ୟଙ୍କୁ ରୋଜଗାର ବ୍ୟବସ୍ଥା କରିବା ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଶାନ୍ତ ହୋଇଥିଲେ । ହାତୀଟି ବର୍ତ୍ତମାନ ଛିନ୍ଦ୍ରାପାଲି ନିକଟସ୍ଥ ଜଙ୍ଗଲରେ ଘୂରି ବୁଲୁଥିବା ସୂଚନା ମିଳିଛି ।