୧୮ ଦିନରେ ୬ ହିନ୍ଦୁ ହତ୍ୟା, ବାଲାଂଦେଶରେ ଅବ୍ୟାହତ ଦଙ୍ଗାକାରୀ ହିଂସା

ବାଲାଂଦେଶରେ ସଂଖ୍ୟାଲଘୁ ହିନ୍ଦୁ ସମୁଦାୟକୁ ଟାର୍ଗେଟ କରି ହିଂସା ଘଟଣା ଥମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଜଣ ହିନ୍ଦୁଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବାବେଳେ, ଗତ ୧୮ ଦିନରେ ମୋଟ ୬ ଜଣ ହିନ୍ଦୁ ଜୀବନ ହରାଇଛନ୍ତି। ସଂଖ୍ୟାଲଘୁଙ୍କ ଟାର୍ଗେଟ କରି ଆକ୍ରମଣ କରୁଛନ୍ତି ଦଙ୍ଗାକାରୀ।

ଗ୍ରୋସରୀ ଦୋକାନୀ ମୋନି ଚକ୍ରବର୍ତ୍ତିଙ୍କୁ ଦଙ୍ଗାକାରୀମାନେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ଏହି ହତ୍ୟା ପୂର୍ବରୁ କେବଳ କିଛି ଘଣ୍ଟା ଆଗରୁ ଯଶୋର ଜିଲ୍ଲାରେ ୪୫ ବର୍ଷୀୟ କାରଖାନା ମାଲିକ ଏବଂ ଜଣେ ଖବରକାଗଜର କାର୍ଯ୍ୟକାରୀ ସମ୍ପାଦକ ରାଣା ପ୍ରତାପଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।

ପୋଲିସ ସୂତ୍ର ଅନୁଯାୟୀ, ପଡ଼ୋଶୀ କେଶବପୁର ଉପ-ଜିଲ୍ଲାର ଜଣେ ସ୍କୁଲ ଶିକ୍ଷକଙ୍କ ପୁଅ ରାଣା ପ୍ରତାପ ଗତ ଦୁଇ ବର୍ଷ ଧରି କୋପାଳିଆ ବଜାରରେ ଏକ ବରଫ କାରଖାନା ଚଳାଉଥିଲେ। ସୋମବାର ସନ୍ଧ୍ୟାରେ କିଛି ଅଜ୍ଞାତ ଦୁଷ୍କର୍ମୀ ତାଙ୍କୁ କାରଖାନାରୁ ଡାକି ନିକଟସ୍ଥ ଏକ ଗଳିକୁ ନେଇ ଗୁଳି କରିଥିଲେ। ଆକ୍ରମଣକାରୀମାନେ ତାଙ୍କ ମୁଣ୍ଡକୁ ତିନି ରାଉଣ୍ଡ ଗୁଳି ମାରିଥିଲେ ଏବଂ ଗଳା କାଟି ପଳାଇ ଯାଇଥିଲେ।ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ରାଣା ପ୍ରତାପଙ୍କ ମୁଣ୍ଡରେ ତିନୋଟି ଗୁଳି ବାଜିଥିଲା। ଘଟଣାରେ କିଏ ସଂପୃକ୍ତ ଅଛନ୍ତି ତାହା ନେଇ ତଦନ୍ତ ଚାଲିଛି।

ଏହା ସହିତ, ଶନିବାର ଦିନ ଝିନାଇଦା ଜିଲ୍ଲାରେ ଜଣେ ହିନ୍ଦୁ ମହିଳାଙ୍କ ସହ ଦୁଇଜଣ ଦୁଷ୍କର୍ମୀ ଦୁଷ୍କର୍ମ କରିଥିଲେ। ଟଙ୍କା ଦାବି କରିବା ସହିତ ସେମାନେ ମହିଳାଙ୍କୁ ଗଛରେ ବାନ୍ଧି ତାଙ୍କ କେଶ କାଟିଦେଇଥିଲେ। ଏହି ବର୍ବର କାଣ୍ଡକୁ ଭିଡିଓରେ ରେକର୍ଡ କରି ସୋସିଆଲ ମିଡିଆରେ ପ୍ରସାର କରାଯାଇଥିଲା। ମହିଳାଜଣକ ଚେତାଶୂନ୍ୟ ହୋଇପଡ଼ିବା ପରେ ସ୍ଥାନୀୟ ବାସିନ୍ଦା ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ।

ପୂର୍ବରୁ ଜାନୁଆରି ୩ ତାରିଖରେ ୫୦ ବର୍ଷୀୟ ଖୋକନ ଚନ୍ଦ୍ର ଦାସଙ୍କୁ ନିର୍ମମ ଭାବେ ଆକ୍ରମଣ କରି ତାଙ୍କ ଦେହରେ ନିଆଁ ଲଗାଇ ଦିଆଯାଇଥିଲା, ଯାହାଫଂହଲରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଡିସେମ୍ବର ୨୪ରେ ରାଜବାରୀ ସହରର ପାଂଶା ଉପଜିଲ୍ଲାରେ ଅମୃତ ମଣ୍ଡଳଙ୍କୁ ଦାଦାବଟି ଆଦାୟ ଅଭିଯୋଗରେ ପିଟି ପିଟି ହତ୍ୟା କରାଯାଇଥିଲା।

ଡିସେମ୍ବର ୧୮ରେ ମୈମନସିଂ ସହରରେ ୨୫ ବର୍ଷୀୟ ଦୀପୁ ଚନ୍ଦ୍ର ଦାସଙ୍କୁ ଧର୍ମ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ଭିଡ଼ ଦ୍ୱାରା ପିଟି ପିଟି ହତ୍ୟା କରାଯାଇ ତାଙ୍କ ମୃତଦେହକୁ ପୋଡ଼ି ଦିଆଯାଇଥିଲା।

ଏକ ପୃଥକ ଘଟଣାରେ, ଡିସେମ୍ବର ୨୩ରେ ଚିଟାଗଂର ଉପକଣ୍ଠରେ ଥିବା ରାଉଜାନ ଅଞ୍ଚଳରେ କାତାରରେ କାମ କରୁଥିବା ପ୍ରବାସୀ ଶ୍ରମିକ ଶୁଖ ଶିଲ୍ ଏବଂ ଅନିଲ୍ ଶିଲ୍‌ଙ୍କ ଘରେ ଅଜ୍ଞାତ ଦୁଷ୍କର୍ମୀମାନେ ନିଆଁ ଲଗାଇ ଦେଇଥିଲେ। ତେବେ ଘରର ସମସ୍ତେ କୌଣସି ମତେ ପ୍ରାଣରକ୍ଷା କରିପାରିଥିଲେ।ଲଗାତାର ହିନ୍ଦୁ ସମୁଦାୟକୁ ଲକ୍ଷ୍ୟ କରି ଘଟୁଥିବା ଏହି ହିଂସା ଘଟଣା ବାଲାଂଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷାକୁ ନେଇ ଗଭୀର ପ୍ରଶ୍ନ ଉଠାଇଛି।