ସ୍ୱରର ସମ୍ରାଜ୍ଞୀ ଆଶାଙ୍କ ଯୁଗ ଶେଷ,ପରଲୋକରେ ଆଶା ଭୋସଲେ

ସଙ୍ଗୀତରେ ଆଶାଙ୍କ ଅବିସ୍ମରଣୀୟ ଯାତ୍ରା, ଭାରତୀୟ ସଙ୍ଗୀତ ଜଗତରେ ଏକ ଯୁଗର ଅନ୍ତ ଘଟିଛି। କିମ୍ବଦନ୍ତୀ ଗାୟିକା ଭୁଷଲେଙ୍କ ପରଲୋକ । ମୁମ୍ବାଇର ଏକ ଘରୋଇ ହସ୍ପିଟଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ବୟସ ୯୨ ବର୍ଷ ଥିଲା । ତାଙ୍କର ଦେହାନ୍ତ, ସଙ୍ଗୀତ ଜଗତର ଏକ ଅମୂଲ୍ୟ ଧରୋହରକୁ ହରାଇଛି।ଆଶା ଭାରତୀୟ ସିନେମା ସଙ୍ଗୀତର ଏକ ଅପୂର୍ବ ନାମ । ୧୯୪୦ ଦଶକରୁ ତାଙ୍କର ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା ଏବଂ ପ୍ରାୟ ସାତ ଦଶକ ଧରି ସେ ନିଜ କଣ୍ଠରେ ଅସଂଖ୍ୟ ଗୀତକୁ ଅମର କରିଛନ୍ତି। ହିନ୍ଦୀ ସହିତ ଓଡ଼ିଆ, ବଙ୍ଗଳା, ମରାଠୀ, ତାମିଲ୍ ଓ ଅନ୍ୟାନ୍ୟ ଭାଷାରେ ହଜାର ହଜାର ଗୀତ ଗାଇ ସେ ଦେଶ-ବିଦେଶରେ ଅସାଧାରଣ ଲୋକପ୍ରିୟତା ଅର୍ଜନ କରିଥିଲେ।

ତାଙ୍କର ସ୍ୱରରେ ଥିବା ବିଭିନ୍ନତା ଓ ଅଭିନବତା ସେକୁ ଅନ୍ୟ ଗାୟିକାଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ରୋମାଣ୍ଟିକ୍, ଗଜଲରେ, ଭଜନ ଭଳି ପ୍ରାୟ ସମସ୍ତ ପ୍ରକାରର ଗୀତରେ ସେ ନିଜ କୌଶଳ ପ୍ରଦର୍ଶନ କରିଥିଲେ। ବିଶେଷକରି ଆର ଡି ବୁରମାନଙ୍କ ସହ ତାଙ୍କର ଯୁଗଳବନ୍ଦୀ ସଙ୍ଗୀତ ଜଗତକୁ ଅନେକ ସୁପରହିଟ୍ ଗୀତ ଦେଇଛି, ଯାହା ଆଜିମଧ୍ୟ ଶ୍ରୋତାମାନଙ୍କ ମନରେ ଛାପ ରଖିଛି।

ତାଙ୍କର ଅପୂର୍ବ ଅବଦାନ ପାଇଁ ସେ ପଦ୍ମ ବିଭୂଷଣ ସହ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଥିଲେ। ସଙ୍ଗୀତ ପ୍ରତି ତାଙ୍କର ଅଟୁଟ ଭକ୍ତି ଓ ନିଷ୍ଠା ନୂତନ ପିଢି ପାଇଁ ଏକ ପ୍ରେରଣା ହୋଇ ରହିବ । ତାଙ୍କର ପରଲୋକରେ ସଙ୍ଗୀତ ପ୍ରେମୀମାନଙ୍କ ମଧ୍ୟରେ ଶୋକର ଛାୟା ଛାଇଯାଇଛି । ତାଙ୍କର ସ୍ୱର ଓ ସୃଷ୍ଟି ଆଗାମୀ ଦିନରେ ମଧ୍ୟ ସଦା ସ୍ମରଣୀୟ ହୋଇ ରହିବ । ସେ ଭାରତୀୟ ସଙ୍ଗୀତ ଇତିହାସରେ ଏକ ଅମର ଅଧ୍ୟାୟ ହିସାବରେ ଅବିଚ୍ଛିନ୍ନ ରହିବେ ।