ସୁରକ୍ଷାବାହିନୀର ବଡ଼ ସଫଳତା: ୧ କୋଟି ପୁରସ୍କାର ମାଓ ନେତା ସହ ୪ ମାଓବାଦୀ ନିହତ

ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା। ଚକାପାଦ ଥାନା ଅଞ୍ଚଳରେ ଚାଲିଥିବା ଏକ ଜଏଣ୍ଟ ଅପରେସନ୍ ସମୟରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁର୍ଦ୍ଦାନ୍ତ ଟପ୍ ମାଓ ନେତା ଗଣେଶ ଉଇକେ ସହ ମୋଟ ୪ ଜଣ ମାଓବାଦୀ ନିହତ ହୋଇଛନ୍ତି। ନିହତ ମାଓବାଦୀଙ୍କ ମଧ୍ୟରୁ ୨ ଜଣ ମହିଳା ଥିବା ସୂଚନା ମିଳିଛି।

ସୁରକ୍ଷା ସୂତ୍ର ଅନୁଯାୟୀ, ୬୯ ବର୍ଷୀୟ ଗଣେଶ ଉଇକେ ମାଓବାଦୀ ସଂଗଠନର ସେଣ୍ଟ୍ରାଲ କମିଟିର ଆଗ ଧାଡ଼ିର ସଦସ୍ୟ ଥିଲା। ତାଙ୍କ ନାଁରେ ୧ କୋଟି ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା ହୋଇଥିଲା। ଦୀର୍ଘ ଦିନ ଧରି ସେ ସୁରକ୍ଷା ବାହିନୀ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲେ।

ମାଓବାଦୀ ଲୁଚି ରହିଥିବା ଗୁପ୍ତ ସୂଚନା ମିଳିବା ପରେ SOG, CRPF ଓ BSF ପକ୍ଷରୁ ଚକାପାଦ ଅଞ୍ଚଳରେ ବ୍ୟାପକ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ଅପରେସନ୍‌ରେ SOG–CRPF–BSFର ୨୩ଟି ମିଳିତ ଟିମ୍ ସାମିଲ ଥିଲେ।

କମ୍ବିଂ ବେଳେ ମାଓବାଦୀମାନେ ସୁରକ୍ଷାବାହିନୀ ଉପରକୁ ଅନ୍ଧାଧୁନ ଗୁଳିଚାଳନା କରିଥିଲେ। ଏହାର ପ୍ରତିଉତ୍ତରରେ ସୁରକ୍ଷାକର୍ମୀମାନେ ପାଲଟା ଗୁଳିଚାଳନା କରିଥିଲେ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳିଯୁଦ୍ଧରେ ମାଓବାଦୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିବା ସୁରକ୍ଷା ବିଭାଗ କହିଛି।

ଏହି ସଫଳ ଅପରେସନ୍ ପରେ କନ୍ଧମାଳ ସହ ସମଗ୍ର ଦକ୍ଷିଣ ଓଡ଼ିଶାରେ ମାଓବାଦୀ କାର୍ଯ୍ୟକଳାପକୁ ଏକ ବଡ଼ ଆଘାତ ଲାଗିଛି ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି।