ତାମିଲନାଡୁର କରୁର ଜିଲ୍ଲାରେ ଘଟିଥିବା ଭୟାଭୟ ଦଳାଚକଟା ମାମଲାରେ ଅଭିନେତାରୁ ରାଜନେତା ସାଜିଥିବା ତାମିଲଗା ଭେଟ୍ରି କାଝାଗମ (TVK) ମୁଖ୍ୟ ଜୋଶେଫ ବିଜୟ ଚନ୍ଦ୍ରଶେଖରଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ କରୁଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଆସନ୍ତା ମଙ୍ଗଳବାର ଦିନ ପୁଣି ଥରେ ହାଜର ହେବା ପାଇଁ ବିଜୟଙ୍କୁ ସମନ ଜାରି କରିଛି। ତଦନ୍ତକାରୀ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ମାମଲାରେ ସଂସ୍ଥା ହାତରେ କିଛି ନୂଆ ପ୍ରମାଣ ଓ ତଥ୍ୟ ଲାଗିଛି।

ଏହି ଅତିରିକ୍ତ ସାମଗ୍ରୀ ସମ୍ପର୍କରେ ବିଜୟଙ୍କଠାରୁ ଅଧିକ ସ୍ପଷ୍ଟୀକରଣ ଆବଶ୍ୟକ ଥିବାରୁ ତାଙ୍କୁ ତୃତୀୟ ଥର ପାଇଁ ନୋଟିସ ଜାରି କରାଯାଇଛି। ଗତ ୨୭ ସେପ୍ଟେମ୍ବର ୨୦୨୫ରେ ତାମିଲନାଡୁର କରୁର ଜିଲ୍ଲାରେ ବିଜୟଙ୍କ ଦ୍ୱାରା ଏକ ବିଶାଳ ରାଜନୈତିକ ରାଲି ଆୟୋଜନ କରାଯାଇଥିଲା। ଏହି ସମୟରେ ଅତ୍ୟଧିକ ଭିଡ଼ ଯୋଗୁଁ ଭୟଙ୍କର ଦଳାଚକଟା ହୋଇଥିଲା, ଯେଉଁଥିରେ: ୪୧ ଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ।୬୦ ରୁ ଅଧିକ ଲୋକ ଗୁରୁତର ଆହତ ହୋଇଥିଲେ। ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଏବଂ ଏହି ଦୁଃଖଦ ଘଟଣା ପାଇଁ ଦାୟୀ କିଏ, ସେ ନେଇ ସିବିଆଇ ନିଜର ତଦନ୍ତ ଜାରି ରଖିଛି।