ନିଖୋଜ ଓଡିଆ ମର୍ଚ୍ଚାଣ୍ଟ ନାଭି କ୍ୟାଡେଟ୍ ସାର୍ଥକ ମହାପାତ୍ର। ସାର୍ଥକଙ୍କର ଖୋଜଖବର ଏପର୍ଯ୍ୟନ୍ତ ମିଳିନଥିବାବେଳେ ପରିବାର ଲୋକେ ନିରାଶାରେ ସିଙ୍ଗାପୁରରୁ ଓଡ଼ିଶାକୁ ଫେରିଆସିଛନ୍ତି। ସିଙ୍ଗାପୁରରୁ ଖାଲି ହାତେ ଫେରିଲେ ପରିବାର। ସାର୍ଥକଙ୍କ ମାଆ ଓ ମାମୁ ତାଙ୍କୁ ଖୋଜିବା ପାଇଁ ସିଙ୍ଗାପୁର ଯାଇଥିଲେ। କିନ୍ତୁ ସେଠାରେ କୌଣସି ସୁତ୍ର ମିଳିନଥିବାରୁ ସେମାନେ ଆଜି ଓଡ଼ିଶାକୁ ଫେରିଛନ୍ତି। Biju Patnaik International Airportରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ ଆଖିରେ ଥିଲା ଅଶ୍ରୁ ଓ ଅନିଶ୍ଚିତତାର ଛାୟା।

ଜାହାଜରେ ମିଳିଲା ନାହିଁ କୌଣସି ସନ୍ଦେଶ
ଗତ ୧୫ ତାରିଖରେ ସାର୍ଥକ କାମ କରୁଥିବା ‘ଏମ୍.ଭି. ଇ.ଏ. ଜର୍ସି’ ନାମକ ଜାହାଜ ସିଙ୍ଗାପୁର ବନ୍ଦରରେ ଲାଗିବା ପରେ ପରିବାର ଲୋକେ ସେଠାକୁ ପହଞ୍ଚିଥିଲେ। ଡିଜି ସିପିଂର ଦୁଇ ଅଧିକାରୀଙ୍କ ସହଯୋଗରେ ଜାହାଜ ଭିତରେ ଯାଞ୍ଚ କରାଯାଇଥିଲା। କିନ୍ତୁ ସାର୍ଥକଙ୍କ ରୁମ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନ ଯାଞ୍ଚ କରିବାକୁ ଅନୁମତି ମିଳିନଥିବା ଅଭିଯୋଗ ହୋଇଛି। ପରିବାର ପକ୍ଷରୁ କୁହାଯାଇଛି ଯେ, ଜାହାଜ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍ କିମ୍ବା ଭଏଜ୍ ଡାଟା ରେକର୍ଡର (VDR) ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଯୋଗାଇ ନଥିଲେ। ଏହା ଘଟଣାକୁ ନେଇ ସନ୍ଦେହକୁ ଆହୁରି ଗଭୀର କରିଛି।
ଓଡ଼ିଶାର ଧାମନଗର ବ୍ଲକ ଅନ୍ତର୍ଗତ କେଶପୁର ଗାଁ ର ସାର୍ଥକ ମହାପାତ୍ର ଗତ ଫେବ୍ରୁୟାରୀ ୩ତାରିଖରୁ ଜାହାଜରୁ ନିଖୋଜ ଅଛନ୍ତି। ଦୀର୍ଘ ସମୟ ହେଉଥିଲେ ମଧ୍ୟ ତାଙ୍କ ସନ୍ଦର୍ଭରେ କୌଣସି ପ୍ରମାଣିକ ସୂଚନା ମିଳିନାହିଁ। ସିଙ୍ଗାପୁରରେ କୌଣସି ସଫଳତା ନ ମିଳିବାରୁ ପରିବାର ଲୋକେ ଏବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଦାବି କରୁଛନ୍ତି। ସେମାନଙ୍କ ଅନୁରୋଧ ଘଟଣାର ଉଚ୍ଚସ୍ତରୀୟ ଓ ସ୍ବତନ୍ତ୍ର ତଦନ୍ତ କରାଯାଇ ସାର୍ଥକଙ୍କ ଖୋଜଖବର ଶୀଘ୍ର ମିଳିବାକୁ ବ୍ୟବସ୍ତା କରାଯାଉ।
ପରିବାର ଏପର୍ଯ୍ୟନ୍ତ ଆଶା ଛାଡ଼ିନାହାନ୍ତି, କିନ୍ତୁ ସମୟ ବିତିବା ସହ ସେମାନଙ୍କ ଚିନ୍ତା ଆହୁରି ବଢ଼ିଚାଲିଛି।