ଶେଷ ହେଲା ବାବା ପାରୋଳେଶ୍ଵର ଶୈବପୀଠରେ ଚଡକ ଯାତ୍ରା

ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ବାବା ପାରୋଳେଶ୍ଵର ବିଷ୍ଣୁ ପ୍ରସିଦ୍ଧ ପାଟ ପର୍ବ ବହୁ ଆଡ଼ମ୍ବରରେ ସମ୍ପନ୍ନ ହୋଇଛି । ୧୪ ଦିନ ଧରି ଅନୁଷ୍ଠିତ ଏହି ବ୍ରତରେ ହଜାର ହଜାର ଭକ୍ତ ଶେଷ ଅର୍ଘ୍ୟ ଦେଇଛନ୍ତି ଶ୍ରୀଜିଉଙ୍କଠାରେ । କୁନା ଭୂଇଁ ଛକ ହା’କାଣ୍ଡ ପୋଖରୀଠାରୁ ଚନ୍ଦନେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏପ୍ରିଲ ୭ ତାରିଖରୁ ଆରମ୍ଭ ହୋଇଥିବା ବିଶ୍ୱ ପ୍ରସିଦ୍ଧ ଚଡ଼କ ପର୍ବର ଆଜି ଥିଲା ବହୁ ପ୍ରତୀକ୍ଷିତ ପାଟ ପର୍ବ । ଏହି ପାଟ ପର୍ବର ମୁଖ୍ୟ ଆକର୍ଷଣ ମାଳା, ଚନ୍ଦନା ଓ କଣ୍ଟାପୋଡ଼ା । ସମସ୍ତ ଉପବୀତଧାରୀ ଭକ୍ତ ହା’ କାଣ୍ଡ ପୋଖରୀ ପୋଖରୀକୁ ଯାଇ ସେଠାରେ ବୁଡ଼ ପକାଇ ମନ୍ଦିରକୁ ଫେରିଥାନ୍ତି । ଅପରାହ୍ନରେ ପାଟ ଭକ୍ତା ନରେନ୍ଦ୍ର ପ୍ରଧାନ ଅନ୍ୟ ୧୩ ଜଣ ମୁଖ୍ୟ ଭକ୍ତଙ୍କ ସମେତ ସେବାୟତ ବର୍ଗ ହା’କାଣ୍ଡ ପୋଖରୀ ଅଭିମୁଖେ ଯାତ୍ରା କରିଥିଲେ । ଦିନ ୪ଟାରେ ଏକ ବିଶାଳ ପଟୁଆଳରେ ଦଶନଖୀ ଏବଂ ଶ୍ରୀଘଟକୁ ସେବାୟତମାନେ ମୁଖ୍ୟ ମନ୍ଦିରକୁ ଅଣାଇଥିଲେ । ଏଥିରେ ଶତାଧିକ ସେବାୟତ, ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ମାନେ ସାମିଲ ଥିଲେ। କେତେକ ଭକ୍ତ ନିଜକୁ ଶିବ ପାର୍ବତୀ, ରାମ ସୀତା, ରାଧା କୃଷ୍ଣ ଓ ହନୁମାନ ଆଦି ବିଭିନ୍ନ ବେଶରେ ସଜାଇଥିଲେ ।

ଆଉ କେତେକ ମଣ୍ଡରେ ଧୂଣା ସରା ନେଇ ଆସୁଥିବା ବେଳେ ଅନ୍ୟମାନେ କଣ୍ଟା ଦ୍ୱାରା ଜିର, ଶରୀରର ଦୁଇ ପାର୍ଶ୍ୱ, ପେଟ, ପିଠି ଓ ପାଦରେ ଫୋଡ଼ି ମନ୍ଦିର ଅଭିମୁଖେ ଆସିଥିଲେ । ପ୍ରାୟ ୫ଶହରୁ ଉର୍ଦ୍ଧ ଭକ୍ତ କଣ୍ଟା ଫୋଡ଼ିଥିଲେ। ଏହି ଅବସରରେ ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ପ୍ରକମ୍ପିତ ହେଉଥିଲା। ଶଙ୍ଖ, ଘଣ୍ଟା, ଝାଲି, ପାରମ୍ପାରିକ ବାଦ୍ୟ, ବାଣ, ରୋଷଣୀ ଆଦିରେ ଉଛୁଳି ଉଠିଥିଲା ସମଗ୍ର ଅଞ୍ଚଳ। ଦଶନଖୀ ମନ୍ଦିରରେ ପହଞ୍ଚିବା ପରେ ଶେଷ ଅର୍ଘ୍ୟ ପ୍ରଦାନ କରାଯାଇଥିଲା । ଏଥିରେ ଉପବୀତଧାରୀ ଭକ୍ତଙ୍କ ସମେତ ବହୁ ଶ୍ରଦ୍ଧାଳୁ ସାମିଲ ଥିଲେ ।