ରାଜରାସ୍ତାରେ ଦେଶର ଭବିଷ୍ୟତ

ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଲେ ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ସଂଘର ଶିକ୍ଷକମାନେ ବିଭିନ୍ନ ଜିଲ୍ଲାରୁ ଆସି ମାଷ୍ଟରକ୍ୟାଣ୍ଟିନ୍ ଛକରେ ଏକାଠି ହୋଇ ବିଧାନସଭା ଆଡ଼କୁ ଶୋଭାଯାତ୍ରାରେ ଯାଇଥିଲେ । ସାରା ରାଜ୍ୟରେ ଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଶିଶୁ ବାଟିକା ପାଖରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ସମସ୍ତ ବିଷୟ ପଢ଼ାଉଥିବା ବେଳେ, ଠିକା କର୍ମଚାରୀ ଭାବେ ସାରା ରାଜ୍ୟରେ ୧୩ ହଜାରରୁ ଅଧିକ ଶିକ୍ଷକ କାର୍ଯ୍ୟରତ ।

ଦାବି ସରକାର ପୂରଣ କର ନାରା ଦେଇ ବସିଛନ୍ତି ପ୍ରାଥମିକ ଶିକ୍ଷକ ସଂଘ । ଅଗଷ୍ଟ ୨୨ ତାରିଖରେ ଶିକ୍ଷାକଙ୍କୁ ନିୟମିତ କରିବାକୁ ଘୋଷଣା କରିଥିଲେ ମଧ୍ୟ, ୪ ମାସ ବିତିଯିବା ପରେ ବି କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ସରକାରୀ ନିର୍ଦ୍ଦେଶନାମା ବାହାରୁନି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶିକ୍ଷାକ ସଂଘ ।

ବିଦ୍ୟଳୟରେ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଯୁକ୍ତି ପାଇଛନ୍ତି, ସେମାନଙ୍କ ଭବିଷ୍ୟତ ଆଜି ଅଜୀବି ଅସୁରକ୍ଷିତ । ସେମାନେ ସରକାରୀ କର୍ମଚାରୀ ନୁହନ୍ତି। ଏବେ ଯାଏଁ ୨୪ ମୃତ ଶିକ୍ଷକଙ୍କର ପରିବାର ଭୋକ ଉପାସରେ ଦିନ କାଟୁଛନ୍ତି । ତାହା ପ୍ରତି ସରକାର କୌଣସି ଦୃଷ୍ଟି ଦେଉନାହାନ୍ତି ।ଏଥିପାଇଁ ପ୍ରାଥମିକ ଶିକ୍ଷକଙ୍କ ଦାବିହେଉଛି ଯେ, ଗ୍ରେଡ୍ ପେ’କୁ ୨୨ଶହ ରୁ ୪୨ଶହ କରାଯାଉ । ୪୨ଶହ ଗ୍ରେଡ୍ ପେ’ ହେଲେ ଶିକ୍ଷକଙ୍କ ମୂଳ ଦରମା ୩୪,୫୦୦ ଟଙ୍କା ହେବ । ୨୨ଶହ ଗ୍ରେଡ୍ ପେ’ ଅନୁସାରେ ସେମାନଙ୍କ ମୂଳ ଦରମା ୨୩,୦୦୦ ଟଙ୍କା ରହିଛି ।

ସେହିପରି ଠିକାରେ ନିଯୁକ୍ତ ପ୍ରାୟ ୧୩ ହଜାର ଶିକ୍ଷକଙ୍କୁ ନିୟମିତ କରିବାକୁ ସଂଘ ଦାବି କରୁଛି । ୨୦୧୭, ୨୦୨୨ ଓ ୨୦୨୩ରେ ବି ଏମିତି ପ୍ରାଥମିକ ଶିକ୍ଷକ ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ରାଜଧାନୀରେ ଆନ୍ଦୋଳନ କରିଥିଲେ । ସେତେବେଳେ ବି ସରକାର ଦେଇଥିଲେ ପ୍ରତିଶ୍ରୁତି, ଏମିତିକି ୨୦୧୭ରେ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ବି ଦାବି ପୂରଣ କରି ନ ଥିଲେ ପୂର୍ବ ସରକାର । ଏହି ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ଆଗକୁ ବାର୍ଷିକ ପରୀକ୍ଷା ମଧ୍ୟ ରହିଛି । ଏପଟେ ଦାବିଗୁଡ଼ିକ ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ମହାସଂଘର ରାଜ୍ୟ ସଭାପତି ଚେତାବନୀ ଦେଇଛନ୍ତି ।