ଯୋଗ ହେଉଛି ଶାରୀରିକ, ବୌଦ୍ଧିକ ଓ ଆଧ୍ୟାତ୍ମିକତାର ଅପୂର୍ବ ସଙ୍ଗମ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

କଳିଙ୍ଗ ଷ୍ଟାଡିୟମ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ: ଯୋଗକୁ ମାନବ ଚେତନାର ବିଶ୍ୱବ୍ୟାପୀ ଉପହାର ବୋଲି କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର, ରବିବାର: ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସ୍ଥାନୀୟକଳିଙ୍ଗ ଷ୍ଟାଡିୟଅମ ପରିସରରେ ଏକ ଭବ୍ୟ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୋହନ ଚରଣ ମାଝୀ ଯୋଗଦେଇ ଯୋଗର ଗୁରୁତ୍ୱ ଓ ଏହାର ବହୁମାତ୍ରିକ ଉପକାରିତା ସମ୍ପର୍କରେ ଆଲୋକପାତ କରିଥିଲେ। ବିପୁଳ ସଂଖ୍ୟକ ଯୋଗପ୍ରେମୀ, ଛାତ୍ରଛାତ୍ରୀ, ସରକାରୀ ଅଧିକାରୀ ଏବଂ ସାମାଜିକ ସଂଗଠନର ସଦସ୍ୟମାନଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମୂହିକ ଯୋଗାଭ୍ୟାସ ମଧ୍ୟ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୋଗ କେବଳ ଏକ ବ୍ୟାୟାମ ପଦ୍ଧତି ନୁହେଁ, ବରଂ ଏହା ଶାରୀରିକ ସୁସ୍ଥତା, ବୌଦ୍ଧିକ ବିକାଶ ଓ ଆଧ୍ୟାତ୍ମିକ ଉନ୍ନତିର ଏକ ଅପୂର୍ବ ସମନ୍ୱୟ। ଯୋଗ ମଣିଷର ଶରୀର, ମନ ଓ ଆତ୍ମା ମଧ୍ୟରେ ସନ୍ତୁଳନ ସୃଷ୍ଟି କରି ଏକ ସୁସ୍ଥ ଓ ସାର୍ଥକ ଜୀବନ ଗଠନରେ ସହାୟକ ହୋଇଥାଏ। ସେ କହିଥିଲେ ଯେ, ଯୋଗ କୌଣସି ନିର୍ଦ୍ଦିଷ୍ଟ ଧର୍ମ, ସମ୍ପ୍ରଦାୟ କିମ୍ବା ଭୌଗୋଳିକ ସୀମାରେ ଆବଦ୍ଧ ନୁହେଁ। ଏହା ସମଗ୍ର ମାନବଜାତି ପାଇଁ ଭାରତର ଏକ ଅମୂଲ୍ୟ ଅବଦାନ, ଯାହା ଆଜି ବିଶ୍ୱସ୍ତରରେ ସ୍ୱୀକୃତି ଲାଭ କରିଛି।ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଭୂମିକାକୁ ସ୍ମରଣ କରି କହିଥିଲେ ଯେ, ତାଙ୍କର ଦୂରଦୃଷ୍ଟି ଓ ଉଦ୍ୟମ ଯୋଗୁଁ ଆଜି ଯୋଗ ବିଶ୍ୱର ପ୍ରାୟ ସମସ୍ତ ଦେଶରେ ଲୋକପ୍ରିୟ ହୋଇପାରିଛି। ଆନ୍ତର୍ଜାତୀୟ ସ୍ତରରେ ଯୋଗର ବ୍ୟାପକ ପ୍ରସାର ଭାରତର ସାଂସ୍କୃତିକ ଐତିହ୍ୟ ଓ ଗୌରବକୁ ଆହୁରି ସୁଦୃଢ଼ କରିଛି ବୋଲି ସେ ମତ ପ୍ରକାଶ କରିଥିଲେ।

ଚଳିତ ବର୍ଷର ଆନ୍ତର୍ଜାତୀୟ ଯୋଗ ଦିବସର ବିଷୟବସ୍ତୁ “ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ” ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଧୁନିକ ଜୀବନଶୈଳୀ ଓ ବୃଦ୍ଧି ପାଉଥିବା ମାନସିକ ଚାପ ମଧ୍ୟରେ ଯୋଗ ଏକ ପ୍ରଭାବଶାଳୀ ସମାଧାନ ଭାବେ ଉଭା ହୋଇଛି। ବିଶେଷକରି ବୟସ ବଢ଼ିବା ସହିତ ଦେଖାଦେଉଥିବା ଉଚ୍ଚ ରକ୍ତଚାପ, ମଧୁମେହ, ନିଦ୍ରାହୀନତା, ଚିନ୍ତା, ଅବସାଦ ଓ ଏକାକୀପଣ ଭଳି ସମସ୍ୟାର ନିୟନ୍ତ୍ରଣରେ ଯୋଗ ଓ ପ୍ରାଣାୟାମ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରେ।ସେ ଆହୁରି କହିଥିଲେ ଯେ, ରାଜ୍ୟର ବୟୋଜ୍ୟେଷ୍ଠ ନାଗରିକମାନେ ସମାଜର ଅମୂଲ୍ୟ ସମ୍ପଦ। ସେମାନଙ୍କର ସୁସ୍ଥତା ଓ ସକ୍ରିୟ ଜୀବନଯାପନ ସମାଜର ସାମଗ୍ରିକ ବିକାଶ ପାଇଁ ଅତ୍ୟନ୍ତ ଆବଶ୍ୟକ। ନିୟମିତ ଯୋଗାଭ୍ୟାସ ଦ୍ୱାରା ବୟୋଜ୍ୟେଷ୍ଠମାନେ ନିଜର ଶାରୀରିକ କ୍ଷମତା ଓ ମାନସିକ ସତେଜତାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିପାରିବେ ବୋଲି ସେ ମତ ଦେଇଥିଲେ।ଯୁବପିଢ଼ିଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଡିଜିଟାଲ ଯୁଗରେ ମୋବାଇଲ ଫୋନ, ସୋସିଆଲ ମିଡିଆ ଓ ଅନଲାଇନ୍ କାର୍ଯ୍ୟକଳାପରେ ଅତ୍ୟଧିକ ସମୟ ବ୍ୟତୀତ କରିବା ଫଳରେ ମାନସିକ ଚାପ, ଏକାଗ୍ରତାର ଅଭାବ ଏବଂ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଉଛି। ଏପରି ପରିସ୍ଥିତିରେ ପ୍ରତ୍ୟେକ ଯୁବକ ଓ ଯୁବତୀ ପ୍ରତିଦିନ ଅତିକମ୍‌ରେ ୨୦ରୁ ୩୦ ମିନିଟ୍ ଯୋଗ ଓ ପ୍ରାଣାୟାମ ପାଇଁ ସମୟ ବାହାର କରିବା ଉଚିତ। ଏହା କେବଳ ଶାରୀରିକ ସୁସ୍ଥତାକୁ ବୃଦ୍ଧି କରିବ ନୁହେଁ, ବରଂ ମାନସିକ ଶାନ୍ତି, ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରାର ବିକାଶରେ ମଧ୍ୟ ସହାୟକ ହେବ।

କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବାକୁ ଆହ୍ୱାନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁସ୍ଥ ଶରୀର ଓ ସୁସ୍ଥ ମନ ହିଁ ଏକ ସମୃଦ୍ଧ ସମାଜ ଓ ଶକ୍ତିଶାଳୀ ରାଷ୍ଟ୍ର ଗଠନର ମୂଳ ଆଧାର। ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ଜୀବନଶୈଳୀ ପ୍ରତି ଲୋକମାନଙ୍କ ଆଗ୍ରହ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଥିଲେ।