ମାଗଣାରେ ମୋମୋ ଦେଇ ସ୍ଥାନୀୟ ଅଞ୍ଚଳରେ ମୋମୋ ବ୍ୟବସାୟ କରୁଥିବା ୩ ଜଣ ଯୁବକ ପ୍ରଥମେ ପିଲାଟିର ଭରସା ଜିତି ତା’କୁ ନିଜ ଜାଲରେ ଫସାଇଥିଲେ। ଆରମ୍ଭରେ ଏହା ସାଧାରଣ ଖାଦ୍ୟ ଆସକ୍ତି ପରି ଲାଗୁଥିଲେ ହେଁ, ସମୟକ୍ରମେ ସେମାନେ ମୋମୋ ବଦଳରେ ଘରେ ଥିବା ସୁନା ଅଳଙ୍କାର ଧୀରେଧୀରେ ଆଣିବାକୁ ଛାତ୍ରଟିକୁ ପ୍ରଲୋଭିତ କରିଥିଲେ।

ଉତ୍ତର ପ୍ରଦେଶର ଦେଓରିଆ ସହରରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଓ ଚିନ୍ତାଜନକ ଘଟଣା, ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ମୋମୋ ପ୍ରତି ଅତ୍ୟଧିକ ଆସକ୍ତି ଏକ ୭ମ ଶ୍ରେଣୀର ଛାତ୍ରକୁ ଏମିତି ଭୁଲ ପଥରେ ନେଇଗଲା ଯେ, ତା’ର ପରିବାରକୁ ୮୫ ଲକ୍ଷ ଟଙ୍କାର ମୂଲ୍ୟବାନ ସୁନା ଅଳଙ୍କାର ହରାଇବାକୁ ପଡ଼ିଛି। ଅଭିଯୋଗ ଅନୁସାରେ, ସ୍ଥାନୀୟ ଅଞ୍ଚଳରେ ରାସ୍ତା କଡ଼ରେ ମୋମୋ ବିକ୍ରି କରୁଥିବା ୩ ଜଣ ଯୁବକ ପ୍ରଥମେ ପିଲାଟିକୁ ମାଗଣାରେ ମୋମୋ ଦେଇ ତା’ର ଭରସା ଜିତିଥିଲେ। ଆରମ୍ଭରେ ସବୁକିଛି ସାଧାରଣ ଖାଦ୍ୟ ଅଭ୍ୟାସ ପରି ଲାଗୁଥିଲା। କିନ୍ତୁ ସମୟ କ୍ରମେ ଏହା ପଛରେ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ଥିବା ଜଣାପଡ଼ିଛି।
ମୋମୋ ପ୍ରତି ପିଲାଟିର ଦୁର୍ବଳତାକୁ ସୁଯୋଗ କରି ୩ ଯୁବକ ଧୀରେଧୀରେ ତା’କୁ ପ୍ରଲୋଭିତ କରିଥିଲେ। ସେମାନେ କହିଥିଲେ ଯେ, ଯଦି ପିଲାଟି ଘରୁ ସୁନା ଅଳଙ୍କାର ଆଣିଦେବ, ତେବେ ତା’କୁ ମାଗଣାରେ ମୋମୋ ଦିଆଯିବ। ମୋମୋ ଲୋଭରେ ପଡ଼ି ପିଲାଟି ଘରେ ରଖାଯାଇଥିବା ସୁନା ଅଳଙ୍କାର ଗୋଟିଏ ପରେ ଗୋଟିଏ କରି ଆଣି ସେମାନଙ୍କ ହାତରେ ଟେକି ଦେଉଥିଲା। ଏଭଳି ଭାବରେ ପିଲାଟି ଅଜାଣତରେ ପରିବାରର ସମସ୍ତ ସୁନା ଅଳଙ୍କାର ୩ ମୋମୋ ବ୍ୟବସାୟୀଙ୍କୁ ଦେଇଦେଇଥିଲା। ପିଲାଟି ବଦଳରେ ସେମାନେ ତା’କୁ ମାଗଣାରେ ମୋମୋ ଖୁଆଉଥିଲେ। ଘଟଣାଟି ସେତେବେଳେ ସାମ୍ନାକୁ ଆସିଥିଲା, ଯେତେବେଳେ ଅଭିଯୋଗକାରୀ ବିମଲେଶ ମିଶ୍ରାଙ୍କ ଭଉଣୀ ଘରକୁ ଆସି ନିଜ ସୁନା ଅଳଙ୍କାର ମାଗିଥିଲେ। ପରିବାର ଲୋକ ଆଲମିରା ଖୋଲିବା ମାତ୍ରେ ଚକିତ ହୋଇଯାଇଥିଲେ, କାରଣ ଆଲମିରାରେ କୌଣସି ପ୍ରକାରର ସୁନା ଅଳଙ୍କାର ରହିନଥିଲା।
ପରେ ଘରର ସାନ ପୁଅକୁ ପଚରାଉଚରା କରାଯାଉଥିବା ବେଳେ ସେ ସମ୍ପୂର୍ଣ୍ଣ ଘଟଣା ବିଷୟରେ ସତ୍ୟ କହିଥିଲା। ମାଗଣାରେ ମୋମୋ ଖାଇବା ପାଇଁ ସେ ସମସ୍ତ ସୁନା ଅଳଙ୍କାର ୩ ଜଣ ମୋମୋ ବ୍ୟବସାୟୀଙ୍କୁ ଦେଇଥିବା ଜଣାଇଥିଲା। ଏହି ଘଟଣା ପରେ ବାରାଣସୀର ଗୋଟିଏ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟରତ ବିମଲେଶ ମିଶ୍ରା ସ୍ଥାନୀୟ ପୁଲିସ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଅଭିଯୋଗରେ ସେ ୩ ଜଣ ମୋମୋ ବ୍ୟବସାୟୀଙ୍କ ନାଁ ଉଲ୍ଲେଖ କରିଥିବା ସହ, ସେମାନେ ତାଙ୍କ ପୁଅ ଠାରୁ ୮୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇଥିବା ଦାବି କରିଛନ୍ତି।
ବିମଲେଶଙ୍କ ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ସମସ୍ତ ଦିଗ ଉପରେ ତଦନ୍ତ ଆରମ୍ଭ କରିଛି। ପୁଲିସ୍ କହିଛି, ଅଭିଯୁକ୍ତ ୩ ଜଣ ଯୁବକଙ୍କ ଭୂମିକା ଓ ସୁନା ଅଳଙ୍କାର କେଉଁଠାକୁ ଗଲା, ସେଥିପାଇଁ ଗଭୀର ତଦନ୍ତ ଚାଲିଛି। ଏହି ଘଟଣା ସମାଜରେ ଶିଶୁମାନଙ୍କ ଉପରେ ଅସୁରକ୍ଷା, ଲୋଭ ଓ ପ୍ରଲୋଭନର ଭୟାବହ ପ୍ରଭାବକୁ ପୁଣିଥରେ ସାମ୍ନାକୁ ଆଣିଦେଇଛି।